ରାକ୍ଷୀ
ରାକ୍ଷୀ
ନିର୍ଜୀବ ସୂତା ଖିଅଟିକୁ
ସୁନ୍ଦର ଭାବେ ସଜାଇ ଦେଲେ
କରି ନା ନା ପରିପାଟିର ଆକୃତି
ତାର ବିନ୍ୟାସରେ ରଙ୍ଗ ସବୁ l
ଆଖି ଆଗେ ଉଠେ ଚହଟି
କହୁଥାଏ ନୀରବରେ ମନର ଭାଷା
ସେ ବାନ୍ଧିପାରେ ସଂପର୍କକୁ
ପବିତ୍ରତାର ମହକ ଦେଇ l
ଭଲ ପାଇବାର ଦୃଢତାକୁ ନେଇ
ଭାଇ ଭଉଣୀ ହୃଦୟରେ
ସତେଜ ହୋଇ ଉଠେ
ଅତୀତର ଯେତେ ବିଗତ ସ୍ମୃତି l
ମାଆ କୋଳରୁ ଅଗଣା ଦାଣ୍ଡଦୁଆର
ବାଲିର ସେ ମିଛି ମିଛି
ଭାତ ତୁଣ ରାନ୍ଧିବାର ଅର୍ଥହୀନ ଖେଳ
ଭୁଲ୍ ବୁଝାମଣାର ଲମ୍ଵା କାନ୍ଦଣା ସ୍ବର
ଅଝଟପଣର ରାଗ ରୋଷ l
ତା ଭିତରେ ଏକ ଅତୁଟ ବନ୍ଧନ
ପରସ୍ପର ସାଥେ ଜୀବନ ଦିଆନିଆ
ଗୋଟିଏ ପଣତ ତଳର
ସେ ସ୍ନେହ ମମତାର ଅଭୁଲା ବାତ୍ସଲ୍ୟ
ମାଆ ବାପାର ସ୍ବପ୍ନଭରା ଆଖି l
ଆଶା ଆକାଂକ୍ଷାର ସେଇ ଭବିଷ୍ୟତ
ଆଜି ସମୟ ଦୂରେଇ ଦେଇଛି
ଉଭୟ ଭାଇ ଭଉଣୀଙ୍କୁ
ଅଲଗା ଅଲଗା ସଂସାର ବାନ୍ଧିବାକୁ
ସେ ସବୁକୁ ସାଉଁଟି ନେଇ ସାଥୀରେ l
ରାକ୍ଷୀ ଆସେ ହୃଦୟର ଡାକରାରେ
ଏକ ଅପୂର୍ବ ମିଳନକୁ ସ୍ବାଗତ କରି
ଭାଇର ଦାୟିତ୍ବ କର୍ତ୍ତବ୍ୟ ସବୁ
ମନେ ପକାଇ ଦିଏ ଚେତନାରେ
ଭଉଣୀର ଶୁଭକାମନା ଭାଇ ପ୍ରତି
ଆତ୍ମୀୟତାର ନିଛକ ଅନ୍ତସ୍ବର l
ସବୁ କିଛିର ପ୍ରତୀକ ରୂପେ
ପ୍ରତିନିଧି ସାଜି ଆସେ ଘରକୁ ହସାଇ
ଆନନ୍ଦର ମାହୋଲ ହୁଏ ଉଲ୍ଲସିତ
ନିଆରା ମୁହୂର୍ତ୍ତଗୁଡିକୁ ସଂଯୋଗ କରି
ଭରି ଦିଏ ଶାନ୍ତି ତୃପ୍ତି ସନ୍ତୋଷ l
କହୁଥାଏ ନିଶବ୍ଦରେ ଅନ୍ତର ଖୋଲି
ଥିଲେ ବି ଯିଏ ଯେତେ ଦୂରେ
ଭାଇ ଭଉଣୀର ସଂପର୍କ ଅତି ନିକଟତର
ତାର ସ୍ଥାନ କେବଳ ଗୋଟିଏ ମାତ୍ର
କୋମଳ ହୃଦୟର କେନ୍ଦ୍ରସ୍ଥଳ।
