ସତ କରିବାକୁ ଆଖିର ସ୍ବପ୍ନ
ସତ କରିବାକୁ ଆଖିର ସ୍ବପ୍ନ
ଜୀବନରେ ସତ କରିବାକୁ ଆଖିର ସ୍ବପ୍ନ
ଦେଖ ନାହିଁ କେବେ ଏମିତି କିଛି
ଯା' ତୁମ ପାଇଁ ଅବାସ୍ତବ ଅବାନ୍ତର
ମିଛ କୁହୁଡ଼ିରେ ମିଳେଇ ଯିବ ହଜି ଯିବ
ଯଦି ସେମିତି କିଛି ସ୍ବପ୍ନ ଆସୁଥିଏ ମନକୁ
ଅବଚେତନାରେ ଦୁର୍ବଳ ମୁହୂର୍ତ୍ତରେ
ସଜାଗ ହୋଇ ରୁହ ସଦା ଗନ୍ତବ୍ଯ ପଥରେ
ଆଉ ତୁମର ପଥରୋଧ କରୁଥିବା
ସେ ପ୍ରତିବନ୍ଧକକୁ ଅନାବନା ଗୁଳ୍ମ ପରି
ଉପାଡ଼ି ଫିଙ୍ଗିଦିଅ ଆବର୍ଜ୍ଜନା କୁଣ୍ଡକୁ
ସତ କରିବାକୁ ଆଖିର ସ୍ବପ୍ନ
ଦେଖ ସେ ସ୍ବପ୍ନ ଯା' ବାସ୍ତବ ଯଥାର୍ଥ
ସୁସ୍ଥ ମନରେ ନିଅ ଦୃଢ଼ ସଂକଳ୍ପ
କର ତାକୁ କଂକ୍ରିଟ ଚଟାଣ ପରି ମଜଭୁତ
ପୂରଣ କରିବାକୁ ରୁହ ସ୍ଥିତପ୍ରଜ୍ଞ
ତା' ପାଇଁ ହୁଏତ ଚାଲିବାକୁ ହୋଇପାରେ
ଦୁଃଖର ଦୁର୍ଗମ ଯନ୍ତ୍ରଣାଦାୟକ ପଥରେ
ଲଙ୍ଘିବାକୁ ହୋଇପାରେ ସ୍ବାପଦଶଙ୍କୁଳ
କଣ୍ଟକିତ ଶିଳାପୂର୍ଣ୍ଣ ଗିରି ବନ
ଡେଇଁବାକୁ ହୋଇପାରେ ହନୁମାନଙ୍କ ପରି
ଭୟଙ୍କର ଲହଡ଼ି ମାଡ଼ି ଆସୁଥିବା ସମୁଦ୍ର ବକ୍ଷ
ଭ୍ରୂକ୍ଷେପ କର ନାହିଁ କିଛିକୁ ତିଳେ ମଧ୍ୟ
ସତ କରିବାକୁ ଆଖିର ସ୍ବପ୍ନ
ତୁମର ଧୈର୍ଯ୍ୟ ସାହସ ଅକ୍ଳାନ୍ତ ଉଦ୍ୟମ
ଅକ୍ଳେଶରେ ଆଣିଦେବ ସଫଳତା
ବୀର ସୈନିକ ପରି ହୁଅ ଦୁଃସାହସିକ
ଆସିବ ନିଶ୍ଚିତ ଦିନେ ଶୁଭ ସମୟ
ସ୍ଵାଗତ କରିବ ତୁମକୁ ସମ୍ବର୍ଦ୍ଧନା ଦେବାକୁ
ସାବଧାନତାର ସହିତ ଦାୟିତ୍ଵ ରଖି
ଲକ୍ଷ୍ୟ ନେଇ କରୁଥିଲେ ଏକନିଷ୍ଠରେ ସାଧନା
ସମ୍ଭାବନା ହୋଇଥାଏ ସାକାର
ଅସମ୍ଭବ ବୋଲି କିଛି ନାହିଁ ଦୁନିଆଁରେ
ମନେ ମନେ ଡରେ ଯିଏ ହାରେ ସିଏ
ପୂରଣ କରି ପାରେନା ତାର ଆଶା ଆକାଂକ୍ଷାକୁ
ସଂଗ୍ରାମୀ ଯୋଦ୍ଧା ଚାହେଁ ମନରେ ପ୍ରାଣରେ
ଉଡ଼ାଇବାକୁ ଗୌରବର ବିଜୟ ଧ୍ଵଜା
ଥିବା ଯାଏଁ ଜୀବନ ଆଉ ଦେହରେ ବିନ୍ଦୁଏ ରକ୍ତ
ରହିଥାଏ ସେ ନିଜ କର୍ତ୍ତବ୍ୟରେ ଅଟଳ
ସତ କରିବାକୁ ଆଖିର ସ୍ବପ୍ନ।
