ଅଧାଲେଖା ପ୍ରେମ କବିତା
ଅଧାଲେଖା ପ୍ରେମ କବିତା
ତୁମ ପାଇଁ ଲେଖୁଥିଲି ମୁଁ
ଏକ ପ୍ରେମ କବିତା
ହୃଦୟରୁ ଭଲ ପାଇବାର ଭାଷା
ଅନୁଭବରୁ ଶବ୍ଦସବୁ ଯୋଡ଼ି
ଲାଳିତ୍ୟ ପଦର ମାଧୁର୍ଯ୍ୟ ଭରି
ରହିଗଲା ଅଧା ଲେଖା ହୋଇ l
ତୁମ ରୂପ ଲାବଣ୍ୟର ବନ୍ୟା
ଅଙ୍ଗ ରଙ୍ଗର ନଈରେ
ବହି ଯାଉଥିଲା ଦ୍ରୃତ ବେଗେ
ଆଶା ସ୍ବପ୍ନସବୁ
ଆବେଗର ସୁଅକୁ ନେଇ l
ଖେଳୁଥିଲେ ଢେଉ ଢେଉକା ଖେଳ
ଦୁଇକୂଳ ଲଙ୍ଘି ପ୍ଳାବିତ
ହେଉଥିଲା ପ୍ରେମର ଅମୃତଧାରା
ସବୁ ଥିଲା କବିତାର
ଗୋଟିଏ ଗୋଟିଏ ପଂକ୍ତି l
ମୋ ଜୀବନଟା ଲାଗୁଥିଲା ମୋତେ
ଚିର ବସନ୍ତ ବସନ୍ତ
ଫୁଲମାନେ ଫଗୁଣରେ
ଫଗୁ ରଙ୍ଗ ବୋଳି
ହସୁଥିଲେ ମନ ଖୋଲି
ତାଙ୍କ ଓଠର ପାଖୁଡ଼ାରୁ
ଝରି ପଡ଼ୁଥିଲା ମିଠା ମିଠା ମହୁ l
ଯା' ମୋ କବିତାକୁ କରୁଥିଲା
ନବ ରହେ ରସାଣିତ
ମୁଁ ହୋଇ ପଡ଼ୁଥିଲି ଆତ୍ମବିଭୋର
ତୁମେ ଦେଉଥିଲ ମୋ ମନରେ
ମାଦକତାର ଉନ୍ମାଦନା ଭରି
ସାରା ଆକାଶଟା ଲାଗୁଥିଲା ମୋତେ l
ଖାଲି ରଙ୍ଗୀନ୍ ରଙ୍ଗୀନ୍
ମୁକ୍ତ ବିହଙ୍ଗ ସମ ଆମେ
ଉଡୁଥିଲୁ ଚକ୍କର୍ କାଟି
ଆଶା ଆକାଂକ୍ଷାର ଢେଣାରେ ଥିଲା
ଅକ୍ଳାନ୍ତ ରହିବାର ଅମାପ ଶକ୍ତି l
ଥିଲା ଆମର ଦିଗହଜା ଗତି
ଅସରନ୍ତି ଆସୁଥିଲା କବିତାର ଭାବ
ସରୁ ନ ଥିଲା ଲେଖାର ପ୍ରସଙ୍ଗ
ହଠାତ୍ କାହୁଁ ତୁମ ମନରେ
ସନ୍ଦେହର କୁହୁଡ଼ି ଆସିଲା ମାଡ଼ି
ଭରସା ବିଶ୍ଵାସକୁ ପାରିଲ ନାହିଁ ରଖି l
ଆମ ଜୀବନର ପ୍ରେମ କବିତା
ଭୁଲ୍ ବୁଝାମଣାର ରାଫ୍ ଖାତା ପୃଷ୍ଠାରେ
ରହିଗଲା ଅଧାଲେଖା ହୋଇ।