STORYMIRROR

Kabiratna Nutan Kumar Behera

Abstract Action Classics

3  

Kabiratna Nutan Kumar Behera

Abstract Action Classics

ସେନେହ ଡୋରୀ

ସେନେହ ଡୋରୀ

1 min
184


" ରାକ୍ଷୀ " ନୁହେଁ କେବଳ ଏକ ରଙ୍ଗୀନ ସୂତାରେ

ତିଆରି ହୋଇଥିବା ଆଖି ଝଲସିଆ ସୁନ୍ଦର ଫୁଲ,

ଅବା ନୁହେଁ ଭାଇ ହାତେ ବାନ୍ଧି ଦେଲେ ଦିନେ

ମନ ଖୁସି ହୋଇଯିବ ବିନିମୟେ ପାଇଗଲେ ମୂଲ।

ଏ ତ ଜୀବନ ଯାକର ହୋଇଥାଏ ଏକ ସଂକଳ୍ପ

ଅନାବିଡ଼ ପବିତ୍ର ସଂପର୍କର ସେନେହ ଡୋରୀ,

ଭାଇ ଭଉଣୀ ମଧ୍ୟରେ ରଖିଥାଏ ଅତୁଟ ବନ୍ଧନ

କେହି କାହାକୁ ଯାଏନା ଭୁଲି ଅବା ପାସୋରି।

ଶ୍ରାବଣ ପୂର୍ଣ୍ଣିମା ଝରାଇ ଦିଏ ଚୁନା ଚୁନା ଜୋଛନା 

କହେ," ରେ ମାନବ ଭାଇ ! ମୁଁ ଯେମିତି ବସୁଧାକୁ

ମୋ କୋମଳ ସ୍ନିଗ୍ଧ ଜୋଛନାର ଦେଉଛି ଭରି,

ତୁମେ ବି ସେମିତି ମୋ ପରି ହୋଇ ରହିବ

ଭଉଣୀ ଯେବେ ବାନ୍ଧି ଦେବ ସେନେହ ଡୋରୀ।

ଭାଇ ଭାବରେ ଢାଳି ଦେବ ହୃଦୟରୁ ଅନୁରାଗ

ହସ ଖୁସି ସୁରକ୍ଷା ଲାଗି ତାର ସଦା ଧ୍ୟାନ ଥିବ ରଖି,କରୁଥିବ ସ୍ନେହ ଶ୍ରଦ୍ଧା ଜଣାଉଥିବ ସମବେଦନା

ଦୁନିଆଁ କହିବ ଧନ୍ୟ ତୁମ ତ୍ୟାଗ ଆଦର୍ଶ ଦେଖି"।

ଶ୍ରାବଣ ପୂର୍ଣ୍ଣିମାରେ ଏ ରାକ୍ଷୀ ଆସେ ପ୍ରତି ବରଷ

ଦେଖିବାକୁ ଭାଇ ଭଉଣୀର ଅଧରରେ ମଧୁହସ,

ଭାଇଟିଏ ଭାଇ ପରି ହୁଅ ଭଉଣୀ ବି ଭଉଣୀ ପରି

ଏକ ମାଆ ଏକ ଗର୍ଭର ବୋଲି ରଖ ବିଶ୍ବାସ।

ଗୋଟିଏ ମାଆର ପେଟରୁ ଜନମି ତୁମେ ଦୁହେଁ 

ବସୁଧା ମାଆର କୋଟିଏରେ ହୋଇ ରହୁ ଏକ,

ଏଠି ଭାବ ନ ଥିଲେ ସବୁ ତ ଦୁଃଖ ଅଭାବ

ମାଗିଲେ ବି ମିଳେ ନାହିଁ କାହାଠାରୁ ମୁଠେ ଭିକ।

କେତେ ଆଶା ଭରସାର ସେନେହ ଡୋରୀ ରାକ୍ଷୀ

ତୁମ ଗୁଣ ଚରିତ୍ରକୁ ପରଖି ହୋଇ ରହିବ ସାକ୍ଷୀ,

ତୁମେ ଆଖି ମେଲି ନ ଦେଖିଲେ ବି ସବୁ କିଛି

ତୁମକୁ ଦେଖୁଛି ଦେଖୁଥିବ କୋଟି କୋଟି ଆଖି।

ପାଇ ଥିଲେ ଦେଇ ପୁଣି ଦେଇ ଥିଲେ ପାଇ

ଭାବ ବିନିମୟର ଦାନ ପ୍ରତିଦାନ ସାରା ଦୁନିଆଁ,

ନିୟମ ବେନିୟମ କରି କେତେ ଦିନ ରହିବ

ସ୍ବାର୍ଥ ଗର୍ବ ଅହଂକାରକୁ ଜାଳି ଦେବ ଜୁଇ ନିଆଁ।

ବୁଝେ ଯିଏ ସେନେହ ଡୋରୀର ନୀରବ ପରିଭାଷା

ତାଙ୍କ ଲାଗି ଭାଇଭଉଣୀ ପରସ୍ପରର ପରଶମଣି,

ଅବୁଝା ରହେ ଯିଏ ତା' ଲାଗି ରାକ୍ଷୀ ମୂଲ୍ୟହୀନ 

କାଳ କାଳ ଯିବ ବିତି ପାରିବନି ସେ ଏ ଭାବ ଜାଣି।

  


Rate this content
Log in

Similar oriya poem from Abstract