ରାତି ପାହିବାର ସଙ୍କେତ ଆସେ
ରାତି ପାହିବାର ସଙ୍କେତ ଆସେ
ହେ ଶୋଷକ, ଭାବିଛ କି ତୁମେ ଆମରି
ଆୟୁଷ ତୁମ ହାତରେ ବନ୍ଦୀ,
ଜଳିବାର ମୋହ, ନିତି ଅହରହ ଲିଭିବନି
ଆମ ଜୀବନ ସଳିତା ବତୀ ।
ମଣିଷର ଭୋକ, ମଣିଷର ଶୋଷ, ଦିହୁଡି
ସଦୃଶ ଶୋଷଣେ ଜଳାଇଲେ,
ପ୍ରତିବାଦ ହୋଇବ, ସଜା ଦେବାକୁ ଗଣ-
ବିକ୍ଷୋଭ ଦିଗୁଣ ବେଗେ ଜଳେ ।
ଚାଲୁଅଛ ଧନ, କ୍ଷମତାଲାଭ ଲୋଭରେ,
ଠକି ଚାଲିଛ ଅବିବେକୀତାରେ,
ଏହି ଅତ୍ୟାଚାରର ଔରସୁ ଦିନେ ଜାତ
ହେବ ବିପ୍ଳବ, ଧରଣୀ ମାଟିରେ ।
ସବୁ ଅବିବେକୀ, ପଚାର ତ ବିବେକକୁ
ଥରେ, ମଣିଷ ଅବସ୍ଥା ଦେଖିରେ,
ସୁଖ ଶାନ୍ତି ଖୋଜୁଛ ପାଇବ କି, ମଣିଷକୁ
ଛାଡି ଆଶାର ମରୁ ପଥରେ ।
ତୁମ ସୃଷ୍ଟ ଅନ୍ଧକାର ଗର୍ଭୁ ଦିନେ ନା ଦିନେ
ଜନମିବ ନିର୍ଭୀକ ଅଭିଳାଷ
ନୂହେଁ ମୋ ଦେଶ ମୁରୁଖର ଦେଶ, ଡାକି ତ
ଆଣିବ ମୁକ୍ତିର ଅଧିବାସ ।
ଭୋଟ ପାଇଁ ସାମ୍ପ୍ରଦାୟିକ ଭେଦଭାବର ଯୋଗାଇଲ ଇନ୍ଧନ, ଏବେ ଜଣା ପଡେ,
କଲ ହେୟଜ୍ଞାନ, ଅବହେଳା ମାନ,
ବିଦାୟ ବେଳାରେ ଅନୁତାପେ କିଏ ସଢ଼େ ।
ଭାଜିଯିବ ଦିନେ ତୁମ ସୃଷ୍ଟ ଭେଦଭାବର ପ୍ରାଚୀର,
ଲୁହାର ଦରଜା ତାର
ସେ ଦିନ ଦେଖିବୁଁ ଦୁନିଆରେ ନାହିଁ ପୁଂଜିପତିର
ଶୋଷଣର ଶବାଧାର ।
ଦେଖ ଦେଖ ପାହାନ୍ତି କୁକୁଡ଼ା, ଦେଉଛି ରଡି
ରାତି ପାହିବାର ସଙ୍କେତରେ
ପାହିଲେ ରାତି, ତୁମ ପୁଂଜି ପ୍ରତି ଲୋଭ ସବୁ
ଅଲୋଡ଼ା ଅଖୋଜା ରହିବରେ।
