ବାପା
ବାପା
ତୁମେ ହିଁ ତ କରିପାର ସୁସୁପ୍ତିର
ଅଥଳ ନିଦ୍ରା କୁ ସଚେତ
କରିପାର ଅଙ୍ଗୁଳିରେ ଅଙ୍ଗୁଳି ମିଶାଇ
ନବୀନ ପ୍ରଭାର ଇଙ୍ଗିତ ।।
ଅଚେତନ ମନର ତନ୍ଦ୍ରାକୁ
ତୁମେ ହିଁ ତ କାଟିପାର
ମୌନତାର ଅନନ୍ତ ପ୍ରଜ୍ଞାକୁ
ତୁମେ ପରା ଧରି ରଖି ପାର ।।
ଅନ୍ତହୀନ ଅଦୃଶ୍ୟ ଘନ ତମିସ୍ରାକୁ
ତୁମେ ହିଁ ତ କାଟି ପାର
ଦିଶାହରା ଗଗନ ରେ ଧ୍ରୁବ ତାରା
ତୁମେ ହିଁ ତ ସାଜିପାର ।।
ତୁମ ପୁଣ୍ୟ ବୀର୍ଯ୍ୟ ପାତେ
ସୃଷ୍ଟି ହୁଏ ପୁତ୍ର କନ୍ୟା
ପିତୃତ୍ୱର ବ୍ୟୋମ ଦେଶେ
ଛୁଟେ ମମତାର ବନ୍ୟା ।।
ସଂସାର ର ଯେତେ ଭାର
ତୁମ କାନ୍ଧ ବୋହି ନିଏ
ଟେକା ଥିଲେ ତୁମ ହାତ
ଛାତ ପରି ଲାଗୁଥାଏ ।।
ନିଜ ଉଦର ଜ୍ବାଳା ଯେବେ
କରୁଥାଏ କଲବଲ
ହସ ତୁମେ ମମତାରେ
ପୁରାଇ ସନ୍ତାନ ଉଦର ।।
ଋଣ ,ପଛେ ହେଉ କରିବାକୁ
ସନ୍ତାନର ଅଭାବ ପୂରଣ କରି
ଦୁନିଆ ରେ ମଥା ଟେକି ଚାଲିବାକୁ
ଅଜସ୍ର ଦୁଃଖର ବୀଡା କର ପାରି ।।
ପୁତ୍ର ,ଅବା କନ୍ୟା ହେଉ କର ତୁମେ
ଯୋଗ୍ୟ ,ମଣିଷର ପରିଚୟ ସଦା ରହୁ,
ଗୌରବର କାଣି ଚାଏ ହେଉ ପଛେ
ଅଵଶୋଷ ,ଟିକିଏ ନ ରହୁ ।।
କେବେ ଦିଅ ନାହିଁ ଅଭିଶାପ ତୁମେ
ପୁତ୍ର କନ୍ୟା କେବେ ନ କଲେ କର୍ମ
ସୁଖ ,ଦୁଃଖ ,ଭରା ଜୀବନରେ କେବେ
ଭାଙ୍ଗି ପଡ ନାହିଁ ଜାଣି ,ତା' ମର୍ମ ।।
ଅନ୍ତିମ କ୍ଷଣେ ବି ଆଶା କରନାହିଁ
ସେବା ,ଯତ୍ନ କାହା ପାଖରୁ ତୁମେ
ମିଛ ନାଟକକୁ ସତ ବୋଲି ଜାଣି
କ୍ଷମା କରିଦିଅ ସଭିଙ୍କୁ ତୁମେ ।।
ଉଦାରତା ତୁମ ଆକାଶ ଠୁଁ ବଳି
ହୃଦୟ ଅସୀମ ସାଗର ପରି
ତୁମ ଠାରୁ ବଡ ନାହିଁ କେ ସଂସାରେ
କେହି ନ ହୋଇବେ ବାପା ଙ୍କ ସରି ।।
------ --------- ----
ସିପ୍ରା ନାମତା
ବାରିପଦା
8249850168
