ବାପା ତୁମେ ଫେରିବ କି ?
ବାପା ତୁମେ ଫେରିବ କି ?
ଫେରି ଆସି ଦେଖନ୍ତ କି ଥରେ ବାପା !
ତୁମେ ହାତରେ ପୋତିଥିବା ଚାରା ଗଛରେ ଏବେ କେମିତି ଛାଇ ଯାଇଛି ସବୁଜ ପତ୍ର !
ହଳଦୀ ବର୍ଣ୍ଣର ଫୁଲରେ ଭାଙ୍ଗି ପଡୁଛି ତା ଡାଳ ସାରା ଋତୁରେ !
ସେବତୀ ଗଛରେ ଏବେବି ଥାକ ଥାକ ହେଇ ଫୁଲ ଫୁଟୁଛି
ତୁମେ ପୋଷି ଥିବା ଶୁଆପକ୍ଷୀଟା ପାହାନ୍ତା ସକାଳୁ ପର ଝାଡ଼ି ନିଦରୁ ଉଠୁଛି ।
ଝରଖା ସେପଟେ ପବନଟା ବି ନିଶବ୍ଦରେ ଢେଉ ଭାଙ୍ଗୁଛି ।
ଯାହା ଯେମିତି କହିଥିଲ , ଠିକ ସେମିତି ଆଜିଯାଏ ସବୁକିଛି ଚାଲିଛି।
ଆଉ ସତ କହୁଛି ବାପା ,ମୁଁ ବି ଠିକ ସେମିତି ଅଛି,
ପୁରାପୁରି ହୁଣ୍ଡି !,
ଯେମିତି ତୁମେ ମୋତେ ନେଇ କଳ୍ପନା କରିଥିବ କେବେ ।
କିନ୍ତୁ ତୁମ ଆବର୍ତ୍ତମାନରେ ହଜେଇ ଦେଇ ନାହିଁ ମୋ ନିଜକୁ ।
କେଉଁ ଏକ ଅଲଣା ସାଗରରେ ଦ୍ରବୀଭୂତ ହେଇନି ମୋ ସଂସ୍କାର ।
ପ୍ରତିଦ୍ୱନ୍ଦୀ ସାଜିନି ମୁଁ କାହାର !
ତଥାପି , କାହିଁକି କେଜାଣି , ଜୀବନ ଯୁଦ୍ଧରେ ଆହତ ହେଇଛି ମୁଁ ବାରମ୍ବାର ।
ଆଟୋପର ଘୁର୍ଣ୍ଣିବାତ୍ୟାରେ ଧୁସରିତ ହେଇନି ମୋ ମନ ।
ତଥାପି ବାତ୍ସଲ୍ୟର ହରଣ ଗୁଣନରେ ଛିଡିଯାଇଛି ମୋ ସମ୍ପର୍କର ଆସନ ।
ଜାଣେ ମୁଁ , ମୃତ୍ୟୁ କେବେ ବଦଳେଇ ପାରେନା , ଜୀବନର ଚିରାଚରିତ ପଥକୁ ।
ତଥାପି ମୁଁ ଧୈର୍ଯ୍ୟ ଧରି ରହିଛି , ଆଜି ମଧ୍ୟ ଆବୋରି ବସିଛି ତୁମ ପାଇଁ ଜଳୁଥିବା ଆକାଶ ଦ୍ବୀପକୁ ।
ପିଲାଦିନର ସେଇ ଅସ୍ଥିରତା , ସରଳତା , ଚପଳତାର ବିରାଟ ଏକ ପଟୁଆର ନେଇ ,
ଆଡ଼ରୁଷା ହେଇ , ଆଜି ବି ମୁଁ ବସି ରହିଛି , ନଈ ପଠା ଆମ୍ବତୋଟାରେ ,
ବାପା ତମେ ଫେରିବ କି ???