ମୁଁ ବଡ ହେଇ ଯାଇଛି
ମୁଁ ବଡ ହେଇ ଯାଇଛି


ମୁଁ ବୋଧେ ବଡ ହେଇଯାଇଛି !
ବିଶ୍ୱାସର ଶିଳାନ୍ୟାସ ପାଇଁ ,
ଅମାନିଆ ଶବ୍ଦ ମାନଙ୍କୁ କାବୁ କରିବା ,
ଏବେ ମୁଁ ଶିଖିଯାଇଛି ।
କୋଉଟା କହିବି ,
କୋଉଟା ନ କହିବିର ଅସମାହିତ ପ୍ରଶ୍ନ ଭିତରେ ,
ମୁଁ ନିଜେ ନିଜର ଉତ୍ତର ସାଜିଛି ।
ଆଖିର ଅର୍ଗଳିରେ ଢେଉ ଭାଙ୍ଗୁଥିବା
ସ୍ବପ ମାନଙ୍କୁ ମୋ ରଙ୍ଗୀନ ପଣତର
ବୋଝ ତଳେ ଚାପି ଧରିଛି ।
ମନର ବାଚାଳତାକୁ ଆଖି ଦେଖେଇ ଚୁପ କରିଦେଇଛି ।
ମୁଁ ବୋଧେ ବଡ ହେଇଯାଇଛି ।
ସାନ ସାନ ସୁଖ ଓ ବଡ ବଡ ଦୁଃଖ ମାନଙ୍କୁ
ମୁଁ ଏବେ ବେଶ ଭାବେ ଚିନ୍ହି ସାରିଛି ।
ଅସରନ୍ତି ସମର୍ପଣର ଭାବକୁ ଅତିକ୍ରମ କରିଯିବାର
ଦର୍ପିତ ଅଭିଯାନ ଏବେ ମୋର ଶେଷ ହେଇଛି ।
କଇଁ କଇଁ ହେଇ ଶେଷ ଥର କେବେ କାନ୍ଦିଥିଲି ,
ମୋର ଆଉ ମନେ ନାହିଁ ।
ତୁମ ପରି ମୁଁ ବି କେବେ ପ୍ରେମରେ ପଡ଼ିଥିଲି !
କାଇଁ ମୋର ତ ଏକଥା ବିଲକୁଲ ମନେ ନାହିଁ !
ଦେଖ , ମୁଁ ବି ଠିକ ତୁମ ପରି ,
ମୋ ଛାତିକୁ ପଥର କରିଦେଇଛି
ମୁଁ ବୋଧେ ବଡ ହେଇଯାଇଛି ।