ମାୟା ଅବା ମୃତ୍ୟୁ
ମାୟା ଅବା ମୃତ୍ୟୁ


ଅର୍ଥ ନଥିଲେ ମଣିଷ କଣ ସତରେ ହଜି ଯାଏ ?
ସ୍ୱାର୍ଥ ନଥିଲେ , ପରିଚୟ ହୀନ ହେଇଯାଏ ଜୀବନ ?
ସମ୍ପର୍କର ଆହୁଲା ଧରି , ମୋ ଜୀବନ ବୋଇତରେ
କାତ ମାରିବାର ଅଭିନୟ କରନ୍ତି ସେମାନେ ।
କିଛି ନବା ପାଇଁ ନୁହେଁ , ,,,,,,
ବରଂ ,
ନିଜର ଦୁଃଖ , ବ୍ୟାକୁଳତା , ପରାକ୍ରମ ଓ ଗାରିମାର ଖଟା ମିଠା କାହାଣୀକୁ
ମୋ ଆଞ୍ଜୁଳିରେ ଢାଳି ଦେବା ପାଇଁ ଆସନ୍ତି ସେମାନେ ।
ଆଉ ଫେରି ଗଲା ବେଳେ ,
ଜଙ୍ଗଲ ଭିତରେ ଗଛ ଜାଳିଦେବା ପରି ,
ମୋ ହୃଦୟକୁ ବି ଜାଳି ଦେଇ ଯାଆନ୍ତି ,
ବିନା ଦିଆସିଲ କାଠିରେ , ନିଜ ନିଜର ନିର୍ଲଜପଣରେ ।
ମୋ ଜିହ୍ଵାରେ ଶବ୍ଦଗୁଡା ବି ଅସହାୟ ,
ଅବଶ ହେଇପଡ଼ନ୍ତି ,
ଫୁଲେଇ ନଈର ପ୍ରଖର ସୁଅରେ ଭାସିଯାଉଥିବା କେଉଁ ଏକ କିଶୋରୀର ଆର୍ତ୍ତନାଦ ପରି ।
ଆତ୍ମତୃପ୍ତିର କୋଳାହଳ ଭିତରେ ହଜିଯାଏ ମୋ ସରଳ ହୃଦୟ ।
କ୍ଷତ ବିକ୍ଷତ ହୁଏ , ବୋଲମାନି ପଞ୍ଜୁରୀ ଭିତରେ ରହୁଥିବା ମୋ ଆଶାୟୀ ମନଟା ।
ଶେଷରେ , "ମୁଁ " , "ମୁଁ " ର ଆତ୍ମପ୍ରଳାପ କରି ,
ସେମାନଙ୍କ ପରି ମୁଁ ବି ପାଲଟି ଯାଏ ଜୀବନ୍ୟାସ ପାଇଥିବା ଗୋଟେ କଥା କୁହା କଣ୍ଢେଇ ।
ଅଦ୍ଭୂତ ଏ ପରିବର୍ତ୍ତନ ।
ହତବମ୍ବ ଲାଗେ ଦେଖି ନିଜର ଏ ନିର୍ବିକାର ଚିତ୍ତ ।
ପ୍ରେମ , ପ୍ରବଂଚନା , ପର , ଆପଣା , ଆଜି ସବୁ ତ ସମାନ ମୋ ଆଖିରେ ।
ଖୋଲା ଆକାଶର ବିହଙ୍ଗ ମୁଁ ।
ଆଜି ମୁଁ ମୁକ୍ତ , ମାୟା ଅବା ମୃତ୍ୟୁରୁ ।