ବିରାମ
ବିରାମ


ପ୍ରାପ୍ତିର ବିରାମ ନାହିଁ ।
ବିରାମ ନାହିଁ ବିଶୃଙ୍ଖଳାର ।
ମୁଁ ଭଲ, କେବଳ ମୁଁ ହିଁ ଭଲ କହୁଥିବା ମଣିଷର
ଆତ୍ମ ଅତୃପ୍ତିର ବି ବିରାମ ନାହିଁ ।
ଫାଲଗୁନ ଅପସରି ଯାଉଛି,
ବର୍ଣମୟ ପୃଥିବୀରୁ ।
ଅବିର ଖେଳର ବିପୁଳ ଉଲ୍ଲାସ, ଫିକା ପଡ଼ିଆସୁଛି ମୋ ଦାଣ୍ଡ ଦୁଆରେ ।
ମଣିଷ ମାତିଛି ନିଜ ବଡିମାରେ,
ମୁଁ, ମୁଁର ପଣିକା ଆବୃତ୍ତିରେ ।
ସେପଟେ ମୃତ୍ୟୁ ବି ପବନ ପରି ଅଧୀର ।
କିଏ ଗଲା, କିଏ ବା ରହିଲା,
ହିସାବ ନାହିଁ ଡାଇରୀରେ ତାର ।
ମୁଁ କିଏ, କଣ କରୁଛି, ପୁଣି କଣ ଭାବିବେ ସେମାନେ,
ଭାବି ଭାବି ସ୍ବପ୍ନ ସବୁ ଏବେ ସର୍କସ ଆଲୁଅ ପରି ଅସ୍ଥିର ।
ଦିନେ ନା ଦିନେ ଦୁଃଖ ସରେ, ସୁଖ ସରେ
ନଦୀର ଧାର ସରେ ଆଉ ଜୀବନ ବି ।
ସବୁ ଯାଉ, ସରି ଯାଉ,
ହେଲେ ନିଜେ ନିଜ ବନ୍ଦୀଶାଳାରେ ଆଉଥରେ ହଜିଯିବା ଆଗରୁ ,
ସଳଖି ନିଅ ନିଜ ଆରମ୍ଭକୁ ।