STORYMIRROR

Gobinda Chandra Sethi

Abstract Inspirational Thriller

5.0  

Gobinda Chandra Sethi

Abstract Inspirational Thriller

ରାକ୍ଷୀ ରହିଗଲା ବାକି

ରାକ୍ଷୀ ରହିଗଲା ବାକି

1 min
471


ଶ୍ରାବଣ ମାସର ଗହ୍ମା ପୂର୍ଣ୍ଣିମାଟା 

ଆସିଗଲେ ମୋର କତି

ଶ୍ରାବଣୀ ଦିଦିଟା ମନେ ପଡେ ନାହିଁ

ଭୟରେ ଥରାଏ ଛାତି ll

ସ୍ନେହ ମମତାର ଅତୁଟ ବନ୍ଧନ

ଥିଲା ଦୁହିଁଙ୍କ ମଧ୍ୟରେ

ରେଶମର ଡୋରୀ ଯେବେ ବାନ୍ଧୁଥିଲି

ହସୁଥିଲୁ ମୋ କତିରେ ll

କୁଙ୍କୁମ ଚନ୍ଦନ ମଥାରେ ଲଗାଇ

ବସାଇ ତୋତେ ପିଢାରେ

ଅରୁଆ ଚାଉଳ ଦୀପ ପୁଷ୍ପ ଦେଇ

ପୂଜିଛି ତୋତେ ସ୍ନେହରେ ll

ରାକ୍ଷୀ ରହିଥିଲା ସାକ୍ଷୀଟା ମୋହର

ଦେଇଥିଲୁ ପ୍ରତିଶୃତି

ବଡ ହୋଇଗଲେ ଅନୁଜ ମୋହର

ଦେବ ପ୍ରତିରକ୍ଷା ନିତି ll

ଶାଶୂଘର ଯେବେ ଯାଇଥିଲି ମୁହିଁ

କାନ୍ଦୁ ଥିଲୁ କଇଁ କଇଁ

ଦିଦି ଚାଲିଗଲେ ରାକ୍ଷୀକେ ବାନ୍ଧିବ

ଆସୁଥିଲି ମୁହିଁ ଧାଇଁ ll

ବଡହୋଇ ଦିନେ ସୈନିକ ସାଜିଲୁ

ସୀମାନ୍ତରେ ତୁ ରହିଲୁ

ଦେଶର ସୁରକ୍ଷା ହାତରେ ନେଇକି

ଆମଠୁ ଦୂରେଇ ଗଲୁ ll

ଫୁଲ ଚନ୍ଦନକୁ ଥଳିରେ ନେଇକି

ରାକ୍ଷୀକୁ ଧରି ବସିଛି

ସହୀଦ ହୋଇଲୁ ଦେଶ ସେବା କରି

ଶ୍ରାବଣୀ ଦିଦି କାନ୍ଦୁଛି ll

ବିଶ୍ୱାସ ହେଉନି ମନରେ ମୋହର

ରାକ୍ଷୀରେ ତୁ ଚାଲିଗଲୁ

ପ୍ରତୀକ୍ଷା ମୋର ତ ଅନ୍ତ ହୋଇ ନାହିଁ

ଆଖିକୁ ଭିଜାଇ ଦେଲୁ ll

ଭାଇ ଭଉଣୀର ଅଧୁରା ସପନ

ରହିଅଛି ରାକ୍ଷୀ ବାକି

ଜନ୍ମା ଜନ୍ମାନ୍ତରେ ତୋତେ ଭେଟୁଥାଏ 

ଗୁହାରୀ ମୋ ଚକା ଆଖି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract