ନୂଆ ବରଷ
ନୂଆ ବରଷ
ପଚିଶି ତୋ ଯୁଗ ହୋଇଲା ଶେଷ
ହୃଦେ ଭରିଥିଲ ଦୁଃଖ ଅଶେଷ ।
କେବେ ଦେଇ ନାହୁଁ ଶାନ୍ତି ଓ ପ୍ରୀତି
ପୁର ପଲ୍ଲୀ ଠାରୁ ଦେଶ ଅଶାନ୍ତି।
ଆଜି ମଧ୍ୟ ରାତ୍ରେ ଯାଉଛ ଖସି
ଦୁଃଖ ପରେ ଦୁଃଖ ଥିଲ ବରଷି।
ଆତ୍ମୀୟ ସ୍ୱଜନ ଅନେକ ଗଲେ
ଦୁଃଖର କୋହଟା ନ ସରେ ଭଲେ।
ଦେଶ ଦେଶେ ମଧ୍ୟେ ଦେଖୁ ଲଢ଼େଇ
ନିରୀହ ଜୀବନ ନେଲ ଛଡେଇ ।
ମଧ୍ୟ ରାତ୍ରେ ଉଭା ଛବିଶି କଲା
ସଂସାର ଦାୟିତ୍ୱ ପଚିଶି ଦେଲା ।
ଆଉ ଉନ୍ମାଦନା ମନରେ ନାହିଁ
ସ୍ୱାଗତ କରିବା ନୂଆକୁ କାହିଁ।
ଅଧୁରା ଦାୟିତ୍ୱ ହେବ ପୂରଣ
ଦେଖି ଦେଖି କେତେ ନୂଆ ସପନ।
ଆସୁ ଶୀତଳତା ଆଉ ସ୍ଥିରତା
ଅନ୍ତରରେ ଆସୁ ସେ ବିନମ୍ରତା ।
ଧୈର୍ଯ୍ୟ ସ୍ଥିତପ୍ରଜ୍ଞା କରିବା ଧ୍ୟେୟ
ଶପଥ ପଥରେ ନଥିବ ଭୟ।
ନୂଆ ବର୍ଷ ଦେଉ ନୂଆ ସୁବାସ
ଖୁସି ଦେଉଥାଉ ସେ ବାର ମାସ।
ନୂତନ ବର୍ଷର ଅଭିନନ୍ଦନ
ଅଲେଖା ପୃଷ୍ଠାକୁ କର ପୂରଣ।
