ଆମ ବିଦ୍ୟାଳୟ ଗୌରବ ଗାଥା
ଆମ ବିଦ୍ୟାଳୟ ଗୌରବ ଗାଥା
ଦିନ ପରେ ଦିନ ଗୌରବ ବଢ଼ାଏ,
ଆମ ଗାଆଁ ବିଦ୍ୟାଳୟ,
ଅନୁଜଙ୍କ ପାଇଁ ହସୁଛି ପ୍ରାଙ୍ଗଣ,
ଖେଳୁଛି ବିଜୟ ଲୟ।
ଆମ ପରିଶ୍ରମ ହୋଇଛି ସଫଳ,
ଗଢ଼ିଥିଲୁ କୁନି ପୀଠ
ଆଜି ବାର୍ଦ୍ଧକ୍ୟେ ନୂତନ ସନ୍ଦେଶ,
ଦେଖି ହୃଦ ହୁଏ ତୃପ୍ତ।
‘ମାଆ ବିଳାଶୁଣୀ’ ନାମକରଣଟା,
ଆଙ୍କିଥିଲୁ ଦିନେ ମନେ
ବିଜୟ ରାମଙ୍କ ସ୍ମୃତି ଲେଖିଦେଲୁ,
ଉଦ୍ଦେଶ୍ୟଟା ଥିଲା ଭିନ୍ନେ ।
ଉପସର୍ଗ ଆଉ ପ୍ରତ୍ୟୟକୁ ଯୋଡ଼ି,
ବଢ଼େ ବିଦ୍ୟାଳୟ ନାମ
ଧନ୍ୟ ଧନ୍ୟ ଆମ ବି.ଏମ୍. ସ୍କୁଲ,
ଗଢିଛି କେତେ ସୁନାମ।
ନାମ ପରେ ନାମ କେତେ ଯୋଡ଼ି ଦିଏ
ବଢ଼ାଉଛି ପରିଚୟ,
ଆମ ବି.ଏମ୍. ସ୍କୁଲ ଜ୍ଞାନ ପୀଠ ଆଜି
ହୋଇଛି ଗୌରବମୟ ।
ନୋଡାଲ ମାନ୍ୟତା ଯେବେ ମିଳିଗଲା,
ବଢ଼ିଲା ନୂଆ ସମ୍ମାନ,
ପି.ଏମ୍. ଶ୍ରୀ ମାନେ ନୂଆ ପରିଚୟ,
ଜଗାଇଛି ନୂଆ ପ୍ରାଣ।
ଗୁଣବତ୍ତା ଶିକ୍ଷା ବିକାଶର ପଥେ,
ଆଗେଇବେ ଛାତ୍ରଛାତ୍ରୀ,
ଜ୍ଞାନ ଓ ଦକ୍ଷତା ହାସଲ କରିଣ,
ହେବେ ଭବିଷ୍ୟତ ଜ୍ୟୋତି।
ସବୁଜ ସୁନ୍ଦର ହେବ ବିଦ୍ୟାଳୟ,
ଦୂର ହେବ ଦୁଃଖ କଷ୍ଟ
ଦିନେ ଆଧୁନିକ ଭିତ୍ତିଭୂମି ଗଢ଼ି
ଭବିଷ୍ୟ ହେବ ସୁସ୍ପଷ୍ଟ।
ଅନୁଜ ତୁମରି ପ୍ରୟାସର ଫଳେ,
ବିଦ୍ୟାଳୟ ହେଉ ଶ୍ରେଷ୍ଠ,
ପୂର୍ବଜଙ୍କ ସ୍ୱପ୍ନ ସାକାର ହୋଇବ
ସଫଳତା ହେଉ ସ୍ପଷ୍ଟ।
ବୟସ ବଢ଼ିଛି, ସ୍ମୃତିଟା ଅମର,
ସ୍ନେହ ରହିଥିବ ଚିର,
ଯୁଗେ ଯୁଗେ ତୁମେ କୀର୍ତ୍ତି ରଚୁଥାଅ,
ହେଉ ମୋ ପୀଠ ଅମର!
ଜୟ ହେଉ ଥାଉ ଆମ ବିଦ୍ୟାଳୟ
ଜୟ ହେଉ ଜ୍ଞାନ ଜ୍ୟୋତି,
ପୁରାତନ ସ୍ମୃତି ନୂତନ ସ୍ୱପ୍ନରେ,
ଫୁଟୁ ସଫଳତା ମୋତି!
