ଏମିତି ଏ ଜୀବନଟା
ଏମିତି ଏ ଜୀବନଟା


(୧)
ଏମିତି ଏ ସମୟଟା...,
କେତେ ଆପଣାର ଲାଗୁଥିଲେ ।
ଯେବେ କେହି ଜଣେ ଦେଖା ହୋଇଥିଲେ,
ସମୟର ବଗିଚାରୁ ମୁହୁର୍ତ୍ତର ଫୁଲମାନେ,
ଉପହାର ଦେଇ ଥିବା ଅଜସ୍ର ପୁଲକେ...
ଏ ମନରେ ଉନ୍ମାଦନା ଭରିଥିଲେ ।
ଏମିତି ଏ ସମୟଟା...,
ମୁଁହ ମୋଡି ପର ହୋଇଗଲେ ।
ନିଜ ଆୟୁଷ ଯଦି... ବଢାଇଲେ,
ବଗିଚାରେ ଖାଲି ସେ ଉଜୁଡା ଫୁଲମାନେ,
ଅନେକ ଦୂରରୁ ସ୍ମୃତିଟିଏ ସାଜି ଆଜି...
ଆଶ୍ଵାସନେ ଛଳନାଟେ ଭେଟି ଦେଲେ ।
(୨)
ଏମିତି ଏ ସପନଟା... ,
ସମୟର ନିମନ୍ତ୍ରଣେ ଆସିଥିଲେ ।
ଏ ନିଃଶ୍ବାସରେ ବେଧଡକ ମିଶିଥିଲେ ,
ରୂପେ ବିଭୂଷିତ ନବଶ୍ଚୁମ୍ଭୀ ସ୍ଵପ୍ନ ମାନେ,
ମନରେ, ଆତ୍ମାରେ ସଂପର୍କର ସେତୁ ବାନ୍ଧି...
ବାସ୍ତବର ମାନଚିତ୍ର ଆଙ୍କିଥିଲେ ।
ଏମିତି ଏ ସପନଟା... ,
ଦ୍ଵିତୀୟା ଜହ୍ନ ପରି ବଙ୍କି
ଗଲେ ।
ପଟଳର ଅରଣ୍ୟରେ ରଂଗ ମାରିଥିଲେ,
ସମୟ ଆଉ ବାସ୍ତବର ଅଗ୍ନି ଝାସେ,
ବିଦଗ୍ଧ , ବିକଳ୍ପିତଟିକୁ ଏକା କରି...
ଶୂନ୍ୟତାରେ ଇନ୍ଦ୍ରଜାଲ ରଚିଥିଲେ ।
(୩)
ଏମିତି ଏ ଜୀବନଟା,
ହସ ନଥିଲେ ... ଲୁହ ବି ନଥିଲେ ।
ଧରାର ଧୂଳିରେ ଖୁସି ମାନେ ଲୁଚିଥିଲେ ,
ଦୃଷ୍ଟି ଫେଡି କାହାର ପଲକ ସଂଯୋଗେ ,
ସୃଜନ ଯୈାବନର ତୀବ୍ର ସ୍ଵାଦ ବଳେ...
କେହି...କାନ୍ତ - ପ୍ରଣୟିନୀ ସାଜିଥିଲେ ।
ଏମିତି ଏ ଜୀବନଟା,
ବିଶ୍ଵାସମାନେ ନିର୍ମାୟା ଥିଲେ ।
ସନ୍ତର୍ପଣ ସବୁ ବୀଭିଷିକା ପଛେ ହେଲେ,
କିନ୍ତୁ ସହସା ନିସ୍ତବ୍ଧ ... ତୃଷ୍ଣା ଅବସାନ,
ପ୍ରଜ୍ଞା ପ୍ରେମ ନୀରବ ଅନଳ ଚିତାରେ ,
କାମନା ଓ ମୋହ - ନିଃଶେଷ ହୋଇଲେ ।