STORYMIRROR

Kabiratna Nutan Kumar Behera

Action Thriller

4  

Kabiratna Nutan Kumar Behera

Action Thriller

ଦୁର୍ଜନ ସଙ୍ଗେ କଲେ ବାସ

ଦୁର୍ଜନ ସଙ୍ଗେ କଲେ ବାସ

1 min
307

   ଦୂର୍ଜନ ସଙ୍ଗେ କଲେ ବାସ

           ଘଟିବ ନିଶ୍ଚେ ସର୍ବନାଶ

   ( ନବାକ୍ଷରୀ... ଭାଗବତ ବୃତ୍ତେ )


ପ୍ରଭୁଙ୍କ ଶ୍ରେଷ୍ଠ ବରଦାନ, ଦୁର୍ଲଭ ମାନବ ଜୀବନ।

ମର୍ତ୍ତ୍ଵରେ ସିଏ ଭାଗ୍ୟବାନ।କର୍ମରେ ହୁଅଇ ମହାନ।

ପ୍ରାଣୀଙ୍କ ମଧ୍ୟେ ବୁଦ୍ଧିମାନ,ହୃଦୟେ ତାର ଦିବ୍ୟଜ୍ଞାନ।

କରି ସେ ବିବେକ ବିଚାର,ଗଢ଼ଇ ସୁନାର ସଂସାର।

ଜନମ ଲଭି ପୁଣ୍ୟବଳେ,ଯଶ ରଖଇ ମହୀତଳେ।

ପାଳି ସେ ତା' ନୀତି ନିୟମ,ଦୈନିକ କରେ ପରିଶ୍ରମ।

ସଂସାରେ ହେବାକୁ ଅଗ୍ରଣୀ,କରଇ ଉଚିତ କର୍ମାଣି।

ହୋଇ ଅଭିଜ୍ଞ ଜ୍ଞାନୀ ଗୁଣୀ,ଜଗତକୁ ପାରେ ସେ ଜିଣି।

ଆଲୋକ ଅନ୍ଧକାର ପରି,ଦୁଇ ପ୍ରକାର ନରନାରୀ।

କେତେକେ ସରଳ ଉଦାର, କରନ୍ତି ଉଚିତ ବିଚାର।

ଥାଆନ୍ତି ଶାନ୍ତି ନମ୍ର ଭଦ୍ର, ହୃଦୟ ତାଙ୍କ ଲାଗେ ଆଦ୍ର।

ସ୍ଵଭାବେ ନିର୍ମଳ ପବିତ୍ର, ନିଷ୍କଳଙ୍କ ତାଙ୍କ ଚରିତ୍ର।

ଏ ପରି ଜନଙ୍କ ବ୍ୟତୀତ, ଅନେକ ଅଛନ୍ତି ଗର୍ବିତ।

ଆଚାରେ ଦୁଷ୍ଟ ହିଂସ୍ର କ୍ରୁର, ସେମାନେ ଭାରି ଭୟଙ୍କର।

ସ୍ଵାର୍ଥ ସାଧନେ ଥା'ନ୍ତି ବ୍ୟସ୍ତ,ସଭିଙ୍କୁ କରନ୍ତି ତରସ୍ତ।

ଦେଖନ୍ତି ନାହିଁ କା'ର ଦୁଃଖ, ସ୍ଵଭାବ ତାଙ୍କର ଯେ ରୁକ୍ଷ।

ଦିଅନ୍ତି କଣ୍ଟାର ଆଘାତ, ହୃଦୟେ ସୃଷ୍ଟି ହୁଏ କ୍ଷତ।

କରନ୍ତି ସର୍ବଦା ଅନିଷ୍ଟ,ସାଥେ ଯେ ଥାଏ ଭୋଗେ କଷ୍ଟ।

ଈର୍ଷା ହିଂସାରେ ଥା'ନ୍ତି ମାତି, ଚାହାଁନ୍ତି ନାହିଁ ସୁଖ ଶାନ୍ତି।

କୁଟ କପଟେ କରି ଛନ୍ଦ,ଅନ୍ୟର କରୁଥାନ୍ତି ମନ୍ଦ।

ସେମାନେ ସର୍ପର ସମାନ,ମିତ୍ରକୁ କରନ୍ତି ଦଂଶନ।

ଅନ୍ୟାୟ ଅନୀତିରେ ବୁଡ଼ି,ସବୁ ଯେ ଦିଅନ୍ତି ବିଗାଡ଼ି।

ଦେଖନ୍ତି ନାହିଁ କାହା ଶିରୀ, ହୁଅନ୍ତି ସଭିଙ୍କ ବଇରି।

କଂସ ରାବଣ ପରି ହୋଇ, ରୁହନ୍ତି ଯେ କଷଣ ଦେଇ।

କରି ଗରବ ଅହଂକାର, କରନ୍ତି ସବୁ ଛାରଖାର।

ବୁଝନ୍ତି ନାହିଁ ଅନ୍ୟ କଥା, ଦିଅନ୍ତି ଅଯଥାରେ ବ୍ୟଥା।

ସରଳେ ଭରନ୍ତି ଗରଳ, କରନ୍ତି ଯେତେ ଅମଙ୍ଗଳ।

ଏମାନଙ୍କ ଠାରୁ ଦୂରେ ରହି,ବିଜ୍ଞଜନ ପାଏ ଯେ ତ୍ରାହି।

ଜାଣି ଶୁଣି ତାଙ୍କର ଗୁଣ,କଲେ ବିଶ୍ଵାସ ଯାଏ ପ୍ରାଣ।

ବିପଦ ବେଗେ ଆସେ ମାଡ଼ି,ଜୀବନ ଯାଏ ତ ଉଜୁଡ଼ି।

ଏମାନଙ୍କୁ କରି ବର୍ଜନ, ସୁଖରେ ରୁହଇ ସୁଜନ।

ତାଙ୍କୁ ଯେ କରଇ ଭରସା, ଜୀବନେ ଭୋଗଇ ଦୁର୍ଦ୍ଦଶା।

ହୋଇ ରହିଲେ ସାବଧାନ, ନିରାପଦ ହୁଏ ଜୀବନ।

ସେମାନେ ଅଧମ ଦୁର୍ଜନ,ସମାଜେ ଦୁଃଖର କାରଣ।

କରିବାକୁ ଯେ ସଚେତନ,ସନ୍ଥେ ଦିଅନ୍ତି ପ୍ରବଚନ।

ଦୁର୍ଜନ ସଙ୍ଗେ କଲେ ବାସ,ଘଟିବ ନିଶ୍ଚେ ସର୍ବନାଶ।

ଏ ବାଣୀ ମାନି ଯିଏ ଚଳେ,ରହେ ସେ ସର୍ବଦା ମଙ୍ଗଳେ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action