ହେ ସପନ ତୁମକୁ ମୋ ରାଣ
ହେ ସପନ ତୁମକୁ ମୋ ରାଣ
ହେ ସପନ ତୁମକୁ ମୋ ରାଣ
ତୁମେ ଆସନା ଏମିତି ନିସ୍ତବ୍ଧ ରାତ୍ରିରେ
ଘନ ଅନ୍ଧାରରେ ମୋ ନିଦ୍ରା ଭାଙ୍ଗି
ହୁଏ ମୁଁ ଭାବପ୍ରବଣ ମନ ହୁଏ ଉଚ୍ଚାଟନ
ଅଙ୍ଗେ ଅଙ୍ଗେ ଖେଳ ଶିହରଣ
ଉଜାଗରରେ ବିତେ ବିଶ୍ରାମ ମୁହୂର୍ତ୍ତ ସବୁ
ମୂଲ୍ୟବାନ ସମୟ ହୁଏ ଅକାରଣ
ହେ ସପନ ତୁମକୁ ମୋ ରାଣ
ବୟସର ଅୟସ୍ ନୁହେଁ ଏମିତି କିଛି
ଏକାଗ୍ରତାର ଲକ୍ଷ୍ୟ ଭୁଲି ପଥ ହୁଡ଼ି ଯିବା
ଭାବନାର ଏକ ଖିଆଲ୍ ରେ ବିଭୋର ହେବା
ତୁମେ ଆସି କରାଅ ମୋତେ ବ୍ୟତିବ୍ୟସ୍ତ
ବିବଶରେ ହୁଏ ମୁଁ ତୁମର ବଶ
ବିକ୍ଷିପ୍ତ ହୁଏ ମୋର ସଞ୍ଚିତ ଆଶା ଆକାଂକ୍ଷା
ନିଜକୁ କରି ପାରେନା ନିୟନ୍ତ୍ରଣ
ହେ ସପନ ତୁମକୁ ମୋ ରାଣ
ମୋତେ ଲାଗେ ତୁମେ କରୁଛ ପ୍ରହସନ
ତୁମ ଉପରେ ନାହିଁ ମୋର ତିଳେ ବି ଭରସା
ସ୍ଥିରତାର ଦୃଢ଼ୋକ୍ତି କିଛି ନାହିଁ ତୁମର
ଅଚାନକ ଆସିବା ଯିବା ହୋଇଛି ତୁମର ପେଶା
ଅଯଥା ମୋ ଭିତରେ ଭରି ଦିଅ ନିଶା
ମୁଁ ଜାଣି ପାରେ ଏ ତୁମର ବାହାନା ପ୍ରବଞ୍ଚନା
ଠିକଣା ନ ଦେଖାଇ ହଜାଇ ଦିଅ ଠିକଣା
ତୁମ ହୃଦୟରେ ନାହିଁ ଟିକିଏ କରୁଣା
ଦେଇ ଚାଲ ଖାଲି ପ୍ରତାରଣା
ବାସ୍ତବତାଠାରୁ ଦୂରେଇ ଯାଇ କରାଅ ମ୍ରିୟମାଣ
ହେ ସପନ ତୁମକୁ ମୋ ରାଣ
ଆସିବ ଯଦି ଆସ ନେଇ ଏକ ଆହ୍ଵାନ
ମୋ ହୃଦୟରେ ସୃଷ୍ଟି ହେଉ ନବ ଜାଗରଣ
ମୁଁ ଗଢ଼ି ପାରିବି ଯେମିତି ଏକ ସୁନ୍ଦର ଜୀବନ
ଯଶ ଖ୍ୟାତି ସୁନାମ କରିବି ଅର୍ଜନ
ପ୍ରଶଂସାରେ କେବଳ କରିବି ତୁମ ଗୁଣଗାନ
ତୁମ ଉପରେ ରହିବ ନାହିଁ ମୋର ଆଉ ଅଭିମାନ
ବନ୍ଧୁ ଭାବେ ତୁମକୁ କରିବି ଗ୍ରହଣ
ଇପ୍ସିତ ଇଚ୍ଛା ମୋର ହେବ ନିଶ୍ଚିତ ପୂରଣ
ତୁମକୁ ଯଥେଷ୍ଟ ସମ୍ମାନ ଦେଇ କରିବି ଆମନ୍ତ୍ରଣ
ତା' ପୂର୍ବରୁ କରି ରଖ ମୋତେ ସଚେତନ
ହେ ସପନ ତୁମକୁ ମୋ ରାଣ...।
