ଅଧା ଲେଖା
ଅଧା ଲେଖା
ଜୀବନ ଆକାଶେ ବେଳ ରତରତ
ସଞ୍ଜ ଆସେ ନଇଁ ନଇଁ
ମହା ନିଦ୍ରାର ବିଛଣା ସଜଡା
ହେଲେ ଲୋଭ ଛାଡୁ ନାହିଁ।
ନିଜେ ମୁଁ ଜଳୁଛି ଏ ସାରା ଜୀବନ
ବୁଝିନି ପୁଣ୍ୟ କି ପାପ
ତେଲ ସରିଲାଣି କେମିତି ଜାଳିବି
ଜୀବନର ମାଟି ଦୀପ !
ମାୟାର ରଙ୍ଗରେ ସମ୍ପର୍କ ସୁଅ
ମୋତେ ଠେଲି ନିଅଇ
ସମୁଦ୍ର ମଝିରେ ଏକାକୀ ନାଆ ମୋ
କୁଳ ମୋତେ ଦିଶୁନାହିଁ।
ଟଳ ମଳ ଡଙ୍ଗା ବିପନ୍ନ ଜୀବନ
ସମାଧି ନେବ ଏଇଠି
କୁଳ ସେପାଖେ ପ୍ରିୟ ପରିଜନ
ଆଉ କି ପାରିବି ଦେଖି ?
ସବୁ ଦେଲ ତୁମେ କହିଲ କର
କରିଲେ ହେଲି ମୁଁ ଦୋଷୀ
ଅଦୃଶ୍ୟରେ ରହି କି ନାଟ ଲଗାଉ
ବଇକୁଣ୍ଠ ପୁର ନିବାସି।
ଯେତେ ରଙ୍ଗ କାନଭାସେ ଦିଏ
ତଥାପି ଜୀବନ ଫିକା
ଆୟୁଷ ସରିଲା ଜୀବନ କବିତା
ରହିଗଲା ଅଧା ଲେଖା।