ଜୟ ମା' ବନଦୁର୍ଗା
ଜୟ ମା' ବନଦୁର୍ଗା
ଢଳି ଢଳି ଆସେ ଜୀବନର ସଂଧ୍ୟା
ଢଳେ ନାହିଁ ଦୁଃଖ ମୋର
ଯେଉଁ ଦିନ ତୁମ କରୁଣା ଲଭିବି
ଶୁନ୍ୟ ହେବ ଦୁଃଖ ଭାର ।
ପର୍ବତ ଶିଖର ଅଵଲୋକନରେ
ରବି କୋଳେ ଆସ ଉଇଁ
ବିହାୟସ ଦେଖେ ନୀଳ ପଣତରେ
ଢାଙ୍କି ଅଛ ପରା ମହୀ
ଯାମିନୀ ତୁମର ମୁକ୍ତାକେଶା ମୋଗୋ
ରମଣୀୟ ରୂପ ତାର ।
ନଳିନୀ ଦଳକୁ ଚାହିଁ ଦେଲେ ମାଗୋ
ଆନନ ତୁମର ଭାସେ
ପ୍ରଦୋଷ ସଂଧ୍ୟାର କାନ୍ତି ଆଭା କୋଳେ
ଲହ ଲହ ଜିହ୍ୱା ହସେ
ଜହ୍ନ ତାରା ସବୁ ତୁମ ମଥା ମଣି
ଦୀପ୍ତି କେଡେ ମନୋହର ।
ଘନଘଟା ସଙ୍ଗେ ଘନବଲ୍ଲରିକୁ
ଯେବେ ନିଏ ଅନୁଭବେ
ତୁମରି ଶକ୍ତିକୁ ଉପଲବ୍ଧ କରି
ଚଣ୍ଡୀ କାଳୀ ମାତା ଭାବେ
ଶ୍ମଶାନ ଘାଟରୁ ମୁଣ୍ଡମାଳମାନ
କଣ୍ଠେ ଶୋଭନୀୟ ହାର ।
ସହସ୍ର ଶୁକ୍ଳିମା ଉର୍ମି ବୀଚିମାଳା
ବେଳାଭୂମି କରେ ସ୍ପର୍ଶ
ଅଗାଧ ସାଗର ଅଙ୍କ ଲଳନା ଗୋ
ଦେଖେ ତୁମ ଦର୍ପ ଲାସ୍ୟ
ଯେଉଁ ଦିଗେ ଚାହେଁ ତୁମକୁ ମୁଁ ପାଏ
ତୁମ ଦୟା ରତ୍ନାକର ।
ଅବିରତ ଧାରା ଶ୍ରାବଣ ବକ୍ଷରୁ
ସତେ ସୁଧା ବରଷଇ
ପ୍ରତ୍ୟେକ ବିନ୍ଦୁରୁ ତୃପ୍ତି ଅନୁଭବ
ତୁମ ଖେଳ ମହାମାୟୀ
ଚମ୍ପକ କଳିକା ପୟର ଶୋଭା ମା
ମର୍ତ୍ତ୍ୟକୁ ଏ ଉପହାର ।