ଭାଙ୍ଗିଗଲା ମୋର ସୁନେଲି ସପନ
ଭାଙ୍ଗିଗଲା ମୋର ସୁନେଲି ସପନ
ଭାଙ୍ଗିଗଲା ମୋର ସୁନାର ସପନ
ମରିମରି ଗଲା ମନ
ସରିସରି ଗଲା ଅସରା ଅସରା
ପ୍ରେମ ଘନ ବରଷଣ |
ମୋ ମାନସ ହଂସୀ ଆରେ ରସାଳସୀ
ମୋ ମନ ଆକାଶ ଜହ୍ନ
ତୋ ରୂପ ଦର୍ଶନ ଅଙ୍ଗ ଯଉବନ
ସୁଧାରସ ଆସ୍ୱାଦନ |
ଖଞ୍ଜନ ଅଞ୍ଜନ ନୟନ ଚାଳନ
ବୀଣା ଜିଣା କଣ୍ଠ ସ୍ଵନ
ଗଜରାଜ ଗତି ଦେଖିଦେଲେ ମତି
ହେଉଥିଲା ଛନ ଛନ |
ଗାଧୁଆ ତୁଠରେ ଭିଜା ବସନରେ
ଦିଶୁଥିଲୁ କି ଶୋଭନ
ନବ ଅଙ୍କୁରିତ ବକ୍ଷୋଜ କଳିତ
କାମରଜା ନିକେତନ |
ଭଲ ପାଇ ତୋତେ ମନେ ମନେ ତୋତେ
ଦେଖି ଚାଲିଲି ସପନ
କଲି ଗୁଣ ଗାନ ତୋର ବଂଶ ମାନ
ହେବାକୁ ପ୍ରିୟ ଭାଜନ |
କେଡ଼େ ବେଗେ ତୋର ବିଭା ହେଲା ସ୍ଥିର
ବେଦୀରେ ବସିଲୁ ଧନ
ବୁକୁ ଫାଟିଗଲା ଚିତ୍ତ ମରିଗଲା
ଲୋତକ ଝରେ ନୟନ |
ବର ସହିତର ହୋଇଲୁ ବାହାର
ଗାଡ଼ିରେ ଉପବେଶନ
ବିଦାୟ ଲଗନ କରୁଣ ମୂର୍ଚ୍ଛନ
ତରଳାଇ ଦେଲା ମନ |
ଗାଡ଼ି ଯାଏ ଗଡ଼ି ଚିନ୍ତା ଯାଏ ବଢ଼ି
ପିଣ୍ଡୁ କି ଛାଡ଼େ ଜୀବନ
ଛାତିରୁ କଲିଜା ଛିନ୍ନ ହେଲା କିବା
ସଂସାର ମରୁ ବିଜନ |
ମୋ ମନ ରାଇଜ ଆଶାର ସୂରୁଜ
ହେଲା ଚିର ଅବସାନ
ପ୍ରସ୍ତାବ ନଦେଇ ପରିଣୟ ପାଇଁ
ହେଲି କେଡ଼େ ହୀନିମାନ |
ଗରିବ ଘରକୁ ବୋହୂ ହୋଇଗଲୁ
କରୁଛି ଅନୁଶୋଚନ
ମନ କଥା ମୋର ମନରେ ରହିଲା
ହଜିଲୁ ସପନ ଧନ |
ବନ ପୋଡ଼ିଗଲେ ଜାଣନ୍ତି ସକଳେ
ନୀରବେ ପୋଡୁଛି ମନ
ପଶ୍ଚାତାପାନଳେ ଦିନରାତି ଜଳେ
ଦେଖୁଛି ଭଙ୍ଗା ଦର୍ପଣ ||