STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ଜୀବନର ଶେଷ ଗୀତ

ଜୀବନର ଶେଷ ଗୀତ

1 min
356


ଆହୁରି ଅନେକ ବାକି ଥିଲା ସ୍ଵପ୍ନ

   ଅବଶୋଷ ରହିଗଲା,

ସୁଖନିଦ ନିଶା ଅନ୍ଧାରୀ ତମସା  

   ଅବେଳରେ ପାହି ଗଲା ।


ସଂସାର ହାଟରେ ଭାବର ସ‌ଉଦା

   କରିବାକୁ ଚାହିଁଥିଲି,

ସମୟର ଭବ ତରଙ୍ଗିଣୀ କୂଳେ

   ଅଜାଣତେ‌ ପହଞ୍ଚିଲି।


ଶୂନ୍ୟ ଲହରୀରେ ଦଦରା ତରୀଟି

   ଅଗାଧ ଜଳେ ଡୁବିଲା,

ପ୍ରୀତିର ବାଇଆ ବସାଟିଏ ମୋର

   ଅଦିନେ ଉଜୁଡିଗଲା। 


ଦମ୍ଭ ଅହଂ ସବୁ ଶୂନ୍ୟେ ଉଡିଗଲା

   ଅଣଚାଷ ପବନରେ,

ଥିଲା ଯାହା ବୁନିଆଦି ଖାନ୍‌ଦାନ୍

   ତାକୁ ଊଇ ଚରିଗଲେ।


ବିଶ୍ଵାସ ଧନକୁ ମୋ ମନ ଅମାରୁଁ

   କେଉଁ ଖଣ୍ଟ ବୋହିନେଲା,

ଖ‌ଇ କ‌ଉଡିର ସମ୍ମୋହନୀ ମନ୍ତ୍ରେ

   ମୋତେ ମୋହ କରିଦେଲା।


ଚାରିକାନ୍ଧ ସିନା ମୋତେ ମିଳିଗଲା

   ମୋ ରଥ ବାହିବା ପାଇଁ,

ହେଲେ ମୋର ବୋଲି କିଛି ରହିଲାନି

   ଏଠି ଆପଣାର ହୋଇ।


ଏଥର ଚାଲିବ ଭାଗବଣ୍ଟା ଯେତେ

   ମୋ କବଲା ଖତିଆନ,

ମୂଲ୍ୟହୀନ ଏଠି ଅଳିକ ଜୀବନ

   ବଡ଼ ଆତ୍ମ ଅଭିମାନ। 


ଛ'ଖଣ୍ଡ ବାଉଁଶୁଁ ଖଣ୍ଡିଏ ଅଧିକା 

   କେବେ ବି ଚଳିବ ନାହିଁ,

ଚାଖଣ୍ଡେ ଭୂଇଁକୁ ବଖରେ ଘରକୁ

   ଆୟୁଷ ଅଣ୍ଟିବ ନାହିଁ।


ସକାଳଟା ଏତେ ଶୀଘ୍ର ଚାଲିଗଲା

   ସଞ୍ଜ ପୁଣି ଆସିଗଲା,

ଜୀବନର ଶେଷ ଗୀତ ରାମନାମ

   ସେତେବେଳେ ଶୁଭୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy