ଭାଗ୍ୟର ବିଡମ୍ବନା
ଭାଗ୍ୟର ବିଡମ୍ବନା
ସିଂହନାଦେ ଯାର କମ୍ପେ ଶତ୍ରୁର ଛାତି
ବୀର ସୈନିକ ସେ
ଭାରତ ମାତାର
ଚୀର ବନ୍ଦନୀୟ ତାର ଦେଶ ପ୍ରୀତି l
ଧନ ଜନେ ପରିପୂର୍ଣ୍ଣ ତା ଜୀବନ
ନଥିଲା କିଛି ଅଭାବ
ତିନି ପୁତ୍ର ସଙ୍ଗେ
ଗୁଣବତୀ ପତ୍ନୀ ଆନନ୍ଦେ ବଞ୍ଚେ ଦିନ l
ହେଲା ଅବସର ବେଳ ପଡିଲାକି କାଳ
ପ୍ରାଣ ପ୍ରିୟା ପତ୍ନୀ
ଛାଡି ଚାଲି ଗଲେ
ଅଜଣା ରୋଗରେ ଶରୀର ହେଲା ଅଚଳ l
ମୁଖରୁ ତା ବଚନ ନ ସ୍ଫୁରିଲା
ଆଖି ଦେଖୁଥାଏ ସର୍ବ
ମନର ସତେଜେ ଜାଣେ
ଭଲମନ୍ଦ ଦେହ ତ ବଇରୀ ହୋଇଲା l
ପୁତ୍ର ମେଳେ ଭୁଲେ ସକଳ ଦୁଃଖ
ନବବିବାହିତ କନିଷ୍ଠ ପୁଅ
କହେ ବିଦେଶ ଭ୍ରମଣ
ଯିବା ପାଇଁ କରିଛି ମନରେ ଇଚ୍ଛା l
ଆଉ ଦୁଇ ଭାଇ ମଧ୍ୟ କହିଲେ
ଆମେ ମଧ୍ୟ ତୋହ
ସଙ୍ଗରେ ବିଦେଶକୁ
ଯାତ୍ରା କରିବୁ ଆନନ୍ଦ ଭରେ l
ବାପାଙ୍କ କଥା ସର୍ବେ ଚିନ୍ତି
ବଡ଼ପୁଅ କହେ ତାଙ୍କରି
ସକଳ ଦ୍ରବ୍ୟ ସଜାଡି
ବିଶ୍ୱସ୍ତ ଚାକରକୁ ଦେବା ସମର୍ପି l
ଭ୍ରମଣ ଉଲ୍ଲାସ ମନରେ ଭରି
ବାପାଙ୍କ ଦାୟିତ୍ୱ ଦେଇ
ସମସ୍ତେ ଚଳିଲେ ନିଜ
ପଥେ ବାପା ରହିଥାନ୍ତି ଚାହିଁ l
ଦିନେ ସନ୍ଧ୍ୟା କାଳେ ଚାକର ଚଳେ
ମନର ଚଞ୍ଚଳେ ହାଟ
କ୍ଷୀର ରୁଟି ନେଲେ
ବାବୁ ମୋ ଭୁଞ୍ଜିବେ ମନରେ ଭାଳେ l
ବିଧିର ବିଧାନ ବଡ଼ ଯେ ବିଚିତ୍ର
ଦୁର୍ଘଟଣା ଗ୍ରସ୍ତ ହୋଇଲା
ଚେତନା ଶୂନ୍ୟ ହୋଇଲା
ଶଯ୍ୟାଶାୟୀ କରନଲ ଚାହିଁ ରହିଥାନ୍ତି ପଥ l.
ତାଙ୍କରି ବାର୍ତ୍ତା କେହି ନ ଜାଣିଲା
ଘରର ବାହାରେ ତାଲା
ବେଳୁବେଳ କ୍ଷୁଧା ଅସହ୍ୟ
ହୁଅଇ କଣ୍ଠତ ତୃଷ୍ଣାରେ ଶୁଖିଲା l
ଯନ୍ତ୍ରଣା ଜର୍ଜରିତ ପ୍ରାଣ ପାରିଲାନି
ମୃତ୍ୟୁ ସଙ୍ଗେ ଲଢ଼ି
ଜୀବନ ଯୁଦ୍ଧରେ
ପରାଜିତ ହେଲା ମରଣକୁ ନେଲା ବରି l
ତିନି ମାସ ପରେ ଫେରନ୍ତି ସନ୍ତାନ
ବିଦେଶ ଭ୍ରମଣ ସାରି
ଘରେ ତାଲା ଦେଖି
ବିସ୍ମୟେ ଚକିତ ସଭିଙ୍କର ମନ l
ରୁଦ୍ଧ ଦୁଆର ଖୋଲି ନୟନେ ଦେଖେ
ହୃଦୟ ବିଦାରକ ଦୃଶ୍ୟ
ପୁତ୍ର ପଣକୁ ନିନ୍ଦି
ଅପେକ୍ଷା ମୁଦ୍ରାରେ ଶୋଇଛି ଏକ କଙ୍କାଳ l