ପ୍ରିୟା-୧୯
ପ୍ରିୟା-୧୯
ଝରକାରୁ ଚାହିଁ ଦେଲେ ତମେ
ଝରଝର ଝରି ପଡ଼େ ଶେଫାଳି
ମୁହଁ ମୋଡ଼ି ଦେଲେ
ଆକାଶ ଆଖିରୁ
ଥମ୍ ଥମ୍ ଦୁଇ ଟୋପା ଲୁହ ପଡ଼େ ଗଳି ।
ତମେ ଗାଧୋଇ ଗଲେ
ଝରଣା ନୀରବି ଯାଏ
ଶୁଣିବାକୁ ରୁଣୁରୁଣୁ ତମ ପାଉଁଜିର ସ୍ୱର
ତମେ ଫୁଲ ତୋଳି ଗଲେ
ଭ୍ରମର ମୌନେ ବସି
ଶୁଣୁ ଥାଏ ଗୁଣୁଗୁଣୁ ତୁମ କଣ୍ଠ ମଧୁର ଝଙ୍କାର
ମୁହଁ ସଂଜ ବେଳେ
ତମେ ଯେବେ ହସି ଦିଅ
ହେଇ ଆନମନା
ପୁନେଇ ଜହ୍ନଟା ଲୁଚେ
ମେଘ କାନି ତଳେ
ଈର୍ଷା କରି ଢାଳେ ନାହିଁ ଅମୃତ ଜୋଛନା ।
ତମେ ଟିକେ ରୁଷି ଗଲେ
କିଟିମିଟି ଅନ୍ଧାରରେ
ଛାଇ ଯାଏ ନିରୀହା ଧରିତ୍ରୀ
ତମେ ଗୀତ ଗାଉ ଥିଲେ
ବିଷାଦରେ ବିଶାରଦ
ଭୁଲି ଯାଏ ଓଁକାର ଗାୟତ୍ରୀ ।
ତମେ ଗୋଟେ ଚୂନା ଚୂନା
ସ୍ୱପ୍ନ ଭରା ବିଳମ୍ବିତ ରାତ୍ରି
କୁହ ତୁମ ପ୍ରେମ ଅଙ୍କାବଙ୍କା ପଥେ
ହେବି କି ଗୋ ଯାତ୍ରୀ ?
ପ୍ରିୟା..........

