ଲକ୍ଷ୍ମୀନାରାୟଣ କଳି
ଲକ୍ଷ୍ମୀନାରାୟଣ କଳି
ଜ୍ଵର ହୋଇଥୁଲା ବଡ ଦିଅଁଙ୍କୁ
ପଥ୍ୟ ପରଷିଲେ ଅଣସର ଘରେ
ଜରା ଶବରର ଚେର ମୂଳକୁ,
ମୋଦକ, କରିଣ ଦେଲେ
ଫୁଲୁରୀ ତଇଳ ମର୍ଦ୍ଦନ କରିଲେ,
ଉପସମ ଲଭିବାକୁ ।।
ଅମାବାସ୍ୟା ଦିନ ନବ ଯୌବନ
ନେତ୍ରୋତ୍ସବ କଲେ ଶ୍ରୀ ନୀଳାଚଳରେ
ଅମୃତ ମୟ ମଧୁର ଲଗନ,
ପ୍ରତିପଦା ଉଭା ଯାତ୍ରା
ମନେ ପଡିଗଲା ମାଉସୀମା’,
ସିଂହ ଦ୍ଵାରେ ରଥ ମାନ ।।
ଆଦେଶେ ପାଇ ଡାହୁକ ଡଗର
ସିଂହ ଦ୍ଵାରେ ତିନି ରଥ କୁ ସଜାଇ
ଚାହିଁ ରହି ଛନ୍ତି ପଥ ତୁମର,
ନେଇ ଭାଇ ଭଉଣୀଙ୍କୁ
ଚାଲିଗଲ ତୁମେ ମାଉସୀ ପରକୁ,
ଲକ୍ଷ୍ମୀଙ୍କୁ ଭାବିଲ ପର ।।
ଆଷାଢ ଦ୍ଵିତୀୟା ଠାରୁ ମନ୍ଦିର
ଖାଲି କରି ଗଲ ନକହି କିପରି
ଘରଣୀ ଅଛନ୍ତି ଘରେ ତୁମର,
ଏଡେ ଦଗାଦିଆ ତୁମେ
ଫେରିଛ ହେ ପ୍ରଭୁ ଆଜି ଏତେ ଦିନେ,
(ଆଜି)ନିସ୍ତାର ନାହିଁ ତୁମର ।।
ସହଜେ ଗଉଡ ଘରେ ବଢିଲ
ବୁଦ୍ଧି ବୃତ୍ତି ସବୁ ହରାଇ ଆପଣ
ରାଧା କଳଙ୍କିନୀ ପ୍ରେମେ ପଡିଲ,
ଶବରୀ ଅଇଁଠା ଖିଆ
ଜାତି ଗୋତ୍ର ହୀନ ତୁମେ ତ କାଳିଆ,
ଘର ସଂସାର ଭୁଲିଲ ।।
ସୁନାବେଶ ହୋଇ ବଡ ପଣ ତୁମ
ଦେଖାଇ ହୋଇଲ ରଥ ପରେ ଥାଇ
ସବୁତ ଦେଖିଲେ ଜଗତ ଜନ,
ଏକିବା ହେ ବଡ ପଣ
ରଖିଥା ତୁମର ୟେ ଚାତର ପଣ,
ଦଗାଦିଆ ନବ ଘନ ।।
କହୁଛନ୍ତି ପ୍ରଭୁ ବାହାରେ ଥାଇ
ନକୁହ ଗୋ କଟୁ କଥା ସାମନ୍ତାଣୀ
ତୁମ ଗୁଣ କିବା କହିବି ମୁହିଁ,
ଜାଣନ୍ତି ସାରା ଜଗତ
ଗଲାବେଳେ କେତେ ଖୋଜିଲି ତୁମେତ,
ନଥିଲ ମନ୍ଦିରେ ସହୀ ।।
ବାଇ ଠାକୁରାଣୀ ତୁମେ ଚଞ୍ଚଳା
କେତେବେଳେ କେଉଁ ଠାରେ ରହୁଥାଅ
ଜାଣି ହୁଏ ନାହିଁ ତୁମ ଠିକଣା,
ଲୁଣିଆର ଝିଅ ଟେରୀ
କଥା କହୁଅଛୁ ତୁ କରି ଚାତୁରୀ,
ତୋ କଥା ଜଗତେ ଜଣା ।।
ଧୀରେଧୀରେ କଳି ବଢି ଚାଲିଲା
ଆଗେ ଆଗେ ଯାଉଥିଲେ ବଡଭାଇ
ତାଙ୍କ କାନେ ଯାଇ କଥା ବାଜିଲା,
ରାଗ ଜରଜର ହୋଇ
କହୁଛନ୍ତି ରୋଷେ ପ୍ରଭୁ ବଳରାମ,
ଚାଲିଛି ଏଠିକି ପାଲା ।।
ଡରେ ଜଗନ୍ନାଥ ଲକ୍ଷ୍ମୀଙ୍କୁ କୁହନ୍ତି
ଘରକଳି ଘରେ ତୁଟାଇବା ସଖୀ
ମାନତେଜ ଦେବୀ ବୋଲି କହନ୍ତି,
ରସଗୋଲା ଭେଟି ଦେଲେ
ଖଣ୍ଡୁଆ ପାଟ ଦେଇ ମନ ମୋହିଲେ,
ଜଗନ୍ନାଥ ଜଗତ୍ପତି ।।
ଦ୍ଵାର ଖୋଲିଗଲା ଜଗଦୀଶ୍ଵର
ନୀଳ କନ୍ଦରର ରତ୍ନ ସିଂହାସନ
ବିଜୟ କରିବେ ରାଜ ରାଜେଶ୍ଵର,
ମହାପ୍ରଭୁ ନୀଳାଦ୍ରିଶ
ଟାହିଆ ହଲାଇ କରିଲେ ପ୍ରବେଶ,
ସୁନ୍ଦର ନୀଳ କନ୍ଦର ।।
