ନାରୀ ନାରାୟଣୀ
ନାରୀ ନାରାୟଣୀ
ନୁହେଁ ବୋଲି ମୁହିଁ କାହାରି ଅରୀ
ନାମ ଅଟେ ମୋର ନାରୀ
ସୃଷ୍ଟି ସର୍ଜନା ର ଆଦ୍ୟ ସଙ୍ଗୀତ ମୁଁ
ପରଶେ ଅମୃତ ବାରି ।
ଜୟା, ଜନନୀ ଓ ଭଗିନୀ ରୂପରେ
ଚୀର ବନ୍ଦନୀୟ ମୁହିଁ
ଭିନ୍ନ ଭିନ୍ନ ରୂପେ ଜଗତର ହିତେ
ନିଜକୁ ମୁଁ ସମର୍ପଇ ।
ଓଠେ ମୋର ଥାଏ ମଧୁର ବଚନ
ବକ୍ଷରେ ଅମୃତ ଧାରା
ସୁକୋମଳ ମନ ଶାନ୍ତ ସ୍ନିଗ୍ଧ ପ୍ରାଣ
ହୃଦୟ ତ୍ୟାଗ ରେ ଭରା ।
କବି ର କଳ୍ପନା ସଙ୍ଗୀତ ମୂର୍ଚ୍ଛନା
ଶିଳ୍ପୀ ର ରଙ୍ଗ ତୂଳୀ
ସବୁଠି ଭରିଛି ନାରୀର ସ୍ୱାକ୍ଷର
ନାରୀ ମୁଁ ଯେ ନାରାୟଣୀ ।
କନ୍ୟା ରେ କାଲିକା ମାତୃ ସୁରଭିତା
ବାର୍ଦ୍ଧକ୍ୟ ପୂଜିତା ମୁହିଁ
ମୋର ଶୁଭାଶିଷ ପାଇଥିବା ଜନ
ଐଶ୍ୱର୍ଯ୍ୟ ହିଁ ଭୁଞ୍ଜିଥାଇ ।
ନିଜ ସ୍ବାର୍ଥ ପାଇଁ ନାରୀ ଟିଏ କେବେ
ଜାଳେ ନାହିଁ ସଂଜ ବତୀ
ଜଳୁଥାଏ ନିଜେ ସଳିତା ପରା ଏ
ବାଣ୍ଟି ଥାଏ ସୁଖ ଶାନ୍ତି ।
ମାଗେ ନାହିଁ ତ୍ୟାଗ, ମମତା ପାଉଣା
କରେନାହିଁ କେବେ ରୋଷ
ଯଦି ଅତ୍ୟାଚାର ସଂସାରେ ବଢ଼ଇ
ଧରେ ପୁଣି ବିଶ୍ଵରୂପ ।
ବ୍ୟଭୀଚାରୀ ନର କଲେ ଅତ୍ୟାଚାର
ହୁଅଇ ପତନ ତାର
ମହା ପରାକ୍ରମି ରାବଣ ନିଧନ
ସ୍ଵର୍ଣ୍ଣ ଲଙ୍କା ଛାରଖାର ।
ପୋଥି ପୁରାଣ ଓ ଇତିହାସ ଠାରୁ
ଅଧୁନା ସମାଜ ଯାଏ
ସବୁ ବିଲୟ ର କାରଣ ମୂଳରେ
ନାରୀ ଆଖି ଲୁହ ଥାଏ ।
ବିଧାତା ର ଶ୍ରେଷ୍ଠ ସୃଷ୍ଟି ଅଟେ ନାରୀ
କର ତାକୁ ସନମାନ
ଯେଉଁ ଘରେ ଥାଏ ନାରୀର ମର୍ଯ୍ୟାଦା
ବଢ଼ୁ ଥାଏ ଯଶ ମାନ ।
