STORYMIRROR

suchismita Panda

Abstract Fantasy Inspirational

3  

suchismita Panda

Abstract Fantasy Inspirational

ତା ପାଇଁ

ତା ପାଇଁ

1 min
174

ବନ୍ଦ ଆଖିର କିଛି ସୁପ୍ତ ସ୍ବପ୍ନ ଭିତରେ 

ଭାସି ଆସିଲି ମୁଁ ରୁ ତୁମେ ହେବାର ଯାତ୍ରାପଥେ

ଯେଉଁଠି ଆପଣାର ଲୋକଙ୍କୁ ପର କରି 

ନୂଆ ଗଢା ସଂପର୍କର ହାତ ଧରି

ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ସଜାଇ

ଚାଲିଯାଇଥିଲି ତମ ସହ ବିନା କୌଣସି ଦ୍ବିଧାରେ

ତମକୁ ଇହକାଳ ପରକାଳର ଦେବତା ମଣି ।


କିନ୍ତୁ ହେଲା କ'ଣ

ତମେ ଦେବତା ତ ହେବା ଦୂରର କଥା

ସାଧାରଣ ମଣିଷଟିଏ ହୋଇ ପାରିଲ ନାହିଁ 

ମାତ୍ର କିଛି ଯୌତୁକର ଇପସ୍ସାରେ ଛନ୍ଦି ରହି

ଆମ ନୂତନ ଗଢି ହୋଇଥିବା ସୁନାର ସଂସାରକୁ

ଜାଳି ପୋଡି କଲ ଚୁନା ଚୁନା ।


ମନେ ପଡିଯାଉଛି ସେଇ ପ୍ରଥମ ରାତିର କଥା

କେମିତି କଥା ଦେଇ ଜନ୍ମାଇଥିଲ ବିଶ୍ବାସ 

ତା ସହ ଧସେଇ ପଶୁଛି ଶେଷ ରାତିର ଚକ୍ରାନ୍ତ 

ଯେଉଁଠି ମୋ ହତ୍ୟାର ଉପାୟରେ ଭାଙ୍ଗିଲ ସବୁ ବିଶ୍ବାସ 

ଧିକ! ତୁମ ଜୀବନ, ଧିକ! ତୁମ ପୁରୁଷ ପଣିଆ 

ଯେଉଁ ହୃଦୟରେ ମଣିଷତ୍ବ ନାହିଁ 

ସେଠି କୌଣସି ସଂପର୍କ ତିଷ୍ଠି ପାରେନା ।


ଦୁର୍ଭାଗ୍ୟ କୁହାଯାଉ ଅବା ସୌଭାଗ୍ଯ ଯେ ମୋର

ତମ ହତ୍ୟାର କୌଶଳରୁ ମୁକ୍ତ ହୋଇ

ଅହରହ ପାଦକୁ ଆଗକୁ ବଢାଇ

ଫେରି ଆସିଥିଲି ନିଜ ଏନ୍ତୁଡିଶାଳକୁ

ମାଆର ମମତାମୟୀ ସୁରକ୍ଷିତ କୋଳକୁ ।


ହେଲେ ଏକା ଫେରି ପାରିନଥିଲି ମୁଁ 

ସାଥେ ନେଇ ଆସିଥିଲି ଘୃଣ୍ୟ ସମାଜର ଅପବାଦ

ଆଉ ପୁଣି ଫକ ଫକ କରୁଥିବା କୁନି ଆତ୍ମାକୁ 

କଷଣର କଷୋଟି ପଥରରେ ଭାଙ୍ଗି ପଡିଥିଲି

ସେଭଳି ଏକ ସମୟରେ କିନ୍ତୁ ଟିକି ଟିକି ପଦେ 

ଶୁଣିଲି ମାଆ ! ମାଆଲୋ ! ତୁ ପରା ମୋ ସୁନା ମାଆ ।


ଟିକି ଦି ପଦ କଥାରେ ତାର

ସତେକି ଯେମିତି ଭରିଥିଲା ଭିନ୍ନ ଶକ୍ତି 

ଯେଉଁଠି ମୋତେ ଏକା ଚାଲିବାକୁ ମଧ୍ୟ ସାହାସ ଦେଲା

ଯେଉଁଠି ନିଜ ପାଇଁ ନୁହେଁ ତା ପାଇଁ ବଂଚିବା ଶିଖେଇଲା

ଯେଉଁଠି କଷ୍ଟ ମଧ୍ୟ ମିଠା ଲାଗିଲା ।


ତା ପାଇଁ 

ସବୁ ନିନ୍ଦାକୁ ପ୍ରସାଦ ମଣିଲି

ତା ପାଇଁ ସଭିଙ୍କ କଟୁକ୍ତିକୁ

ଔଷଧ ପରି ସେବନ କଲି

ତା ପାଇଁ 

ପୁରୁଣା ସଂପର୍କର ହାତ ଛାଡିଲି

ତା ପାଇଁ 

ସବୁକିଛି ପୁଣି ଥରେ ସୃଷ୍ଟି କଲି

ତା ପାଇଁ 

ନିଜର ପରିଚୟ ସୃଷ୍ଟି କଲି 

କେବଳ ତା ପାଇଁ ହିଁ 

ନର୍କମୟ ଜୀବନକୁ ସ୍ବର୍ଗ କଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract