STORYMIRROR

suchismita Panda

Classics Fantasy Inspirational

4  

suchismita Panda

Classics Fantasy Inspirational

ସ୍ମୃତିରେ ଜୀବନ

ସ୍ମୃତିରେ ଜୀବନ

1 min
250

ଜୀବନର ଶେଷାର୍ଦ୍ଧରେ ଛିଡାହୋଇ

ଆରମ୍ଭରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ 

ବିତିଯାଇଥିବା ସମସ୍ତ ପୃଷ୍ଠାକୁ ଯେବେ 

ଗୋଟେ ପରେ ଗୋଟେ ଓଲଟେଇ 

ଖୁବ ପାଖରୁ ପୁଣି ଥରେ ବଂଚାଯାଏ ସେବେ

ସେଇ ମୂହୁର୍ତ୍ତର ସୁଖ ଦୁଃଖକୁ ସାଉଁଟି 

ନିଜ ସ୍ମୃତିର ରାଇଜରେ ନିଜେ ହଜି, ପାଇଯାଉ

ଅନେକ ପ୍ରଶ୍ନର ସଠିକ ଉତ୍ତର ।


କେତେ ପ୍ରଶ୍ନର ଉତ୍ତର ବିଚଳିତ କରିଦେଉଥାଏ

ଆଉ କିଛି ଉତ୍ତର ମୌନତା ଆଣିଦିଏ 

କେତେ ଭୁଲ ଆଖି ଖୋଲି ପ୍ରାୟଶ୍ଚିତ କରାଏ ତ

ପୁଣି କିଛି ଉତ୍ତର ଜୀବନରେ ଫୁର୍ତ୍ତି ଭରିଦିଏ 

ପ୍ରକୃତରେ ଅତୀତର ଅଭୁଲା ସ୍ମୃତି ସବୁ 

ବର୍ତ୍ତମାନ ଆପଣାର ଲାଗୁଥାଏ ।


ପ୍ରିୟଜନଙ୍କ ବିଚ୍ଛେଦ ସ୍ମୃତି

ବର୍ତ୍ତମାନ ମଧ୍ୟ ମନକୁ ଭିଜାଏ ଲୁହରେ

ମିଠା ସ୍ବପ୍ନ ଯାହା ଭାଙ୍ଗି ଯାଇଥିଲା ଦିନେ

ଲେଖି ଦିଏ ପରାଜୟର କାହାଣୀ ହୃଦୟ କୋଣେ 

ପିଲାଦିନ, ବାଲିଖେଳ, ଲୁଚକାଳି ସହ ଦୋଳିଖେଳ

ସବୁ କିଛି ମନେ ଭାସି ଆସୁଥାଏ

ପୁରୁଣା ସଂପର୍କ ଭିତରେ ମନ ହଜିଯାଇ

ଖୋଜୁଥାଏ ସେଇ ସଖି ସଭିଙ୍କୁ !

ସେଇ ଦିନ, ସେଇ ମୂହୁର୍ତ୍ତ ଓ ସେଇ ଜୀବନକୁ ।


ମନ ହେଉଥାଏ ପୁଣି ଥରେ ଛୋଟ ହେବାକୁ 

ପୁଣି ସେଇ ନଇଁ କୂଳେ ବସି ଖଟା କୋଳିର ମଜା ନେବାକୁ 

ବୟସ ବଢିଗଲା ପରେ ନିଜ ମନର ମଣିଷ ପାଇଁ 

ବାଟ ଚାହିଁ ରହିବା, ଆଉ ସେ ଆସିଗଲେ ଭୋ ଭୋ କାନ୍ଦିବା 

ଇଚ୍ଛା ହୁଏ ନୂଆଁ ବୋହୂ ହୋଇ ପୁଣି ବାଟଚାଲିବା ଶିଖିବା

ଶାଶୁ ଶ୍ବଶୁରଙ୍କ ଆକଟରେ ମିଠା ଅଭିମାନ କରିବା

କେତେ କଟୁକ୍ତିରେ ଲୁହ ଗଡେଇବା

କେତେ କଥା ଶିଖି ସଫଳ ମାଆଟିଏ ହେବା ।


ଆଉ କାଇଁ ସେ ଦିନ, କାଇଁ ସେ ସବୁ ମୂହୁର୍ତ୍ତ 

ବସୟ ଚୋରେଇ ନେଲାଣି ସମୟ 

ସମୟ ମୁଠାରୁ ସରିଗଲାଣି ଜୀବନ

ଜୀବନ ତ ଏଇ ଅଛି ଏଇ ନାହିଁ 

କିନ୍ତୁ ସ୍ମୃତି ଯାହା ଚିରଞ୍ଜିବୀ ହୋଇ 

ମନରେ ପ୍ରଶ୍ନ ଉତ୍ତରର ଜାଳ ବିଛେଇ

ବଳକା ଜୀବନକୁ ଶୂନ୍ୟ ଦିଗେ ଅଗ୍ରଗତି କରାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics