ଜଙ୍ଗଲ
ଜଙ୍ଗଲ
ଜଙ୍ଗଲଟା
ଏବେ ଆଉ ଆଗପରି ଖିଲି ଖିଲି ହସି
କଥା କହୁନି କି ଗୀତ ଗାଉନି
କେମିତିକା ଗୋଟେ ଭିନ୍ନ ଧରଣର
ମୌନବ୍ରତ ଧରି ଯାହା ପଡିରହିଛି ।
ଯୁଗ ଯୁଗରୁ ଦେଖା ହୁଏ ତା ସହ
ସବୁଦିନ ସକାଳ ହୁଏ ସେଠି
ସଞ୍ଜ ନଇଁ ରାତି ଆସେ ସେଠି
ସେଇ ଘଞ୍ଚ ଗଛ ସନ୍ଧିରୁ ଧାରେ କିରଣ
ସକାଳର ଶୁଭେଚ୍ଛା ଆଣେ
ଆଉ ଅନ୍ଧାର ସବୁଜିମାକୁ
ଶୂନ୍ୟତାରେ ଭରିଧରେ ।
ଜଙ୍ଗଲ ଏବେ
ଆଗପରି ଜଙ୍ଗଲ ହୋଇ ରହିନି
ଏବେ କେବଳ ମାତ୍ର କିଛି ହାତ ଗଣତି
ସଦସ୍ୟଙ୍କୁ ନେଇ ସାହିଟିଏ ପରି ଅଛି
ପୂର୍ବରୁ ଏ ମୁଣ୍ଡରୁ ସେ ମୁଣ୍ଡକୁ ଆଖି ପାଉନଥିଲା
ଏବେ କିନ୍ତୁ ଜଙ୍ଗଲ ବୋଲି ସେ ଆଖିକୁ ଦିଶୁନି ।
ସେଥିପାଇଁ
ଜଙ୍ଗଲ ଆଉ ବଞ୍ଚିବାକୁ ଚାହୁଁନି
ମଣିଷ ଯେବେ ତା ସଦସ୍ୟକୁ ତାରି କୋଳରୁ
ଛଡେଇ ନେଉଛି ତେଣୁ ସେ ଆଉ
ସଦସ୍ୟହୀନ ପରିଚୟ ନେଇ ବଂଚିବକୁ ଚାହୁଁନି ।
ଏବେ
ଜଙ୍ଗଲରେ ସକାଳ କିରଣ ଆସିଲେ
ସେ ସୂର୍ଯ୍ୟଙ୍କୁ ପ୍ରଶ୍ନ କରୁଛି
ରାତିର ଅନ୍ଧାରରେ ନିଜ ଲୋକଙ୍କୁ ଝୁରି
ଲୁହ ଗଡେଇ ଓଦା ହେଉଛି ।
ମଣିଷ ଜାତି ଯେବେ
ତା ପାଖକୁ ଯାଇ ଆଉ ଟିକେ ପାଖେଇ ଆସୁଛି
ସେ ଡରିଯାଉଛି
ପୁଣି ଦମ୍ଭ ଦେଖାଇ ଚେତେଇ ଦେବାକୁ ଯାଇ ପଚାରୁଛି
ରେ ମଣିଷ କଣ ଭୁଲିଗଲୁଣି କି
ତୋ ମୃତ୍ୟୁ ପାଖେଇ ଆସୁଛି !
ସଫଳତାର ପାଦ ଚଢୁଥିବା
ମଣିଷ ସମାଜ ସତରେ କେତେ ବୋକା
ଜଙ୍ଗଲ ଚିତ୍କାର କରି ସବୁବେଳେ
ଶେଷପ୍ରଶ୍ନ ଭିତରେ ଭୁଲ୍ ଦେଖାଇ ଦେବା ବେଳେ
ମଣିଷ ଅନ୍ଧ ପାଲଟିଯାଉଛି ।
