ଦୁହିତା
ଦୁହିତା
ଅଶାନ୍ତ ଆଜି ଏ ଧରା
ପୃଥିବୀଟା ବିକ୍ଷିପ୍ତ,ବିଭତ୍ସ ।
କଳଙ୍କିତ ଆଜି ଏ ସମାଜ
ସବୁଠାରେ ଖାଲି ବିଭୀଷିକା
ଅନ୍ୟାୟ ,ଅନୀତି ଆଉ ଦୁର୍ବାର ଶୋଷଣ ।
ସୃଷ୍ଟିର ଆଦ୍ୟାଲୋକ ସ୍ପର୍ଶ ନ କରୁଣୁ
ଅଖୋଜା , ଅଲୋଡ଼ା ପ୍ରାୟ
ଡଷ୍ଟବିନରେ ବଳି ପଡ଼େ
ଏଠି ନିରୀହ ଶିଶୁକନ୍ୟା ଭୃଣ ।
ଦୁନିଆଁକୁ ଚିହ୍ନିବା ପୂର୍ବରୁ ,
ଚରିତ୍ର କ'ଣ ବୁଝିବା ଆଗରୁ ,
ଗଣଦୁଷ୍କର୍ମରେ ପ୍ରପୀଡ଼ିତା ନାବାଳିକା
ପାଲଟିଯାଏ ଚରିତ୍ରହୀନା ।
ଅପମାନ ଆଉ
ଅପବାଦର ଜ୍ୱାଳାରେ ଜର୍ଜରିତ
ସୁକୋମଳ ତନୁ ମନ ତା'ର
ସହେ ଅନ୍ତର୍ଦାହର ମରଣାନ୍ତକ ଯନ୍ତ୍ରଣା ।
କୁଆଁରୀ ମନର ସ୍ଵପ୍ନ ସବୁକୁ
ସଜେଇ ଯେବେ ସେ ଗଢି ବସେ
ତା' ରଙ୍ଗୀନ ଦୁନିଆଁ ।
ସହି ପାରେନି ତା'ଖୁସି,
ଏ ସମାଜର ଲୋଲୁପ ଦୃଷ୍ଟିରେ,
ଯୌତୁକ ଜୁଇର ରକ୍ତିମ ଧୁନିରେ
ଜଳିଯାଏ ଶେଷେ ତା'ର
ନିରୀମାଖୀ ବଧୁ ପଣିଆ ।
ଦୁହିତା ସେ....
ଦୁଇ କୂଳ ହିତା ।
ଗର୍ଭେ ତା'ର ସାଇତି ରଖିଛି,
ଏ ସୃଷ୍ଟିର ଆଦିସତ୍ତା,ଚିରନ୍ତନସତ୍ୟ ।
ତଥାପି ସେ
ପ୍ରପଞ୍ଚ ପୌରୁଷର
ଅହଂକାରର ଦୁନ୍ଧୁଭିରେ
ବ୍ୟସ୍ତ,ବଶୀଭୂତ ।
ସାବ୍ୟସ୍ତ କରିପାରେନି ସେ
ତା'ନିଜର ବିକ୍ଷିପ୍ତ ଅବସ୍ଥା ।
ନିର୍ବାର୍କ,ନିର୍ଲିପ୍ତ ।
ଲଜ୍ଜାର ଓଢଣୀ ତଳେ
ଲୁଚାଇ ଦିଏ ସେ
ସମାଜର ନିର୍ଲଜ୍ଜ ପଣିଆ ।
ତଥାପି ସେ..
ଲାଂଛିତା....
ନିର୍ଯାତିତା...
ତୀବ୍ର ଅପମାନିତା,
ଅହେତୁକ ଅବହେଳିତା ।
ଶେଷରେ କ..ଳ..ଙ୍କି.. ତା ।
ଏଇତ ଆମ ଲଜ୍ଜାଜନିତ
ପରିଣତି...ଯା'ନାମ
ଦୁହିତା ।