STORYMIRROR

Sujata Dash

Abstract Others

3  

Sujata Dash

Abstract Others

ଜେଜେମା'

ଜେଜେମା'

1 min
1.1K


କିଛି ଅକୁହା କଥା

କିଛି ଅଲୋଡ଼ା ପୀରତି

କିଛି ଅବ୍ୟକ୍ତ ବେଦନା

ଆଉ ....ଚିରୁଡ଼ାଏ ଆଲୁଅ ଭିତରେ

ଝାପ୍ସା ଦିଶୁଥିବା ଭାବନାର ...

କିଛି ଉଭା କିଛି ପୋତାଥିବା ଗନ୍ତାଘର

ଛପିଛି ଯେଉଁଠି ଫଗୁଣର ମହକ

ଆମ୍ବ ତୋଟାରେ କାଟିଥିବା କେତୋଟି ଖରାବେଳ

ବାଡିଆଡ ପାଳଗଦା ପାଖେ

ଗେଲ୍ହେଇ ଅପା ସାଙ୍ଗେ ଦୁଃଖସୁଖ

ଆଉ ବିଚ୍ଛେଦର ହାହାକାର ।


ଗତାନୁଗତିକ ଜୀବନ

ନା ଅଛି ନୂତନତ୍ୱ .. ନା ଅଛି ରୋମାଞ୍ଚ

ଖାଲି ରହିଛି ଦୁଃଖ ଜର୍ଜରିତ ଆତ୍ମା ର ହାହାକାର

ନିଜର ବୋଲି କହିବା ଲାଗି ଅଛି ଖାଲି

ସଂକୁଚିତ ଲଲାଟ ର ପରିଧି

ଝୋଟ ସମାନ ଅସଜଡ଼ା କେଶ ମୁଠେ

ମଳିନ ଅବଶ ଶରୀରକୁ ଢାଙ୍କି ରଖିଥିବା

କୋଚଟ ଲୁଗାଖଣ୍ଡିଏ

ଆଉ ବହଳ ଲେଞ୍ଜରା ର ପରସ୍ତ,କୋଟରଗତ ଆଖିରେ

ହଁ ...କାନିରେ ବନ୍ଧା ହୋଇଥିବା ରେଜା ପଇସା କେତୋଟି

ହେଲେ ସିଏ ସମ୍ପୂର୍ଣ୍ଣ ନିଜର ନୁହେଁ

ବେଳେ ଅଧେ ନାତି ଟୋକା ଖଣ୍ଡକ

ତା ଉପରେ ଅଧିକାର ସାବ୍ୟସ୍ତ କରିଯାଏ ।


ଅନ୍ଦାଜ ... ରାତି ଚାରି ପ୍ରହର ହେବ

ନିଦ ନାହିଁ ଆଖିରେ

ସେଜରେ ଏପଟ ସେପଟ ହେଇ ହେଇ ବ୍ୟସ୍ତ ଲାଗିଲାଣି

ଦୂରରୁ ପାଟି ଶୁଭୁଚି

କାନ ପାରିଲାକୁ...."ରାମ ନାମ ସତ୍ୟ ହୈ !"

କିଏ ଆଉ ଗଲା?

ବାହାରକୁ ବାହାରି ଆସିଲାଣି ଲୋକେ

କଥାଭାଷା ହଉଛନ୍ତି

ଅଳ୍ପ ଅଳ୍ପ ଶୁଣାଯାଉଛି ...

" ଅଧା ବୟସ ରେ ଚାଲିଗଲା

କିଏ, ସୁମିବୋଉ? ସତେ ନା କଣ?"

ହେଲେ କାହିଁକି ? ରୋଗ ବୈରାଗ ତ ନଥିଲା କିଛି

ବୋହୁ ଆମର କହିଲା ..."ସବୁ ଭାଗ୍ୟ,ନହେଲେ

ଏଠି ଏତେ ସବୁ ପାକଳ ଥାଉ ଥାଉ"

"ହେ ଭଗବାନ!

ଆଉ କେଇଦିନ ଏଇମିତି ଶୁଣେଇବ?"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract