STORYMIRROR

Sujata Dash

Others

3  

Sujata Dash

Others

ଭାଇ ଟିଏ ଥାଆନ୍ତା କି

ଭାଇ ଟିଏ ଥାଆନ୍ତା କି

1 min
28


ଭାଇ ଟିଏ ଥାଆନ୍ତା କି !

ସ୍କୁଲ ଗଲାବେଳେ ତା ହାତଧରି ରାସ୍ତାରେ 

ଛାତି ଫୁଲେଇ କି ଯାଇଥାନ୍ତି 

ଆଉ କେହି କହିପାରିନଥାନ୍ତେ ଏ ଘରେ ଖାଲି ପଲେ ଝିଅ 

ମନ ବହଲେଇବା ପାଇଁ କେତେଜାତି ଦରବ ଖଞ୍ଜିଦେଇଥାନ୍ତା 

ଏଇ ଯେମିତି- ରଙ୍ଗରଙ୍ଗିଆ କ୍ଲିପ,ରିବନ ଆଉ ପାଞ୍ଚଟଙ୍କିଆ କୁରକୁରେ 

ଧନ୍ୟ ହେଇଯାଇଥାନ୍ତା ମୋ ଜୀବନ 

କୃତକୃତ୍ୟ ହେଇଯାଇଥାନ୍ତି 


ଭାଇ ଟିଏ ଥାଆନ୍ତା କି ! 

କଲେଜ ଗଲାବେଳେ ବାଇକରେ ଛଡା, ଅଣା କରିଥାନ୍ତା

କିଛି ନ ହେଲେ ବି, ନରରୂପୀ ପିଶାଚଙ୍କ ଆଖିରୁ ନିର୍ଗତ ହେଉଥିବା 

ଲୋଭ ଆଉ ଭୋକ ର ଲାଭା କୁ ରୋକିଦେଇଥାନ୍ତା 

ଚଳଚଞ୍ଚଳା ହରିଣୀଟିଏ ପରି ମୁଁ 

ଓଢଣୀ ହଲେଇ ବାଟ ଚାଲିଥାନ୍ତି 

କହିଥାନ୍ତି "ଆରେ ବାରବୁଲା ଦଳ,ମତେ ହୁଇସିଲ ମାରିବ, ନାଇଁ ?

ତମ କମେନ୍ଟ , ମୋ ଭାଇ ଥିଲା ବେଳେ ମାରିକି ଦେଖା 

ଲାଙ୍ଗୁଡ଼ ଜାକି ଯାଉଛ କୁଆଡେ ?"


ଭାଇଟିଏ ଥାଆନ୍ତା କି !

ଶାଶୁ ଘରକୁ ଭାର ନେଇ ଯାଇଥାନ୍ତା 

ଗଞ୍ଜଣା ଆଉ ଶୁଣିବାକୁ ପଡ଼ିନଥାନ୍ତା 

ବିପଦ ଆପଦରେ ପାଖରେ ଠିଆ ହେଇଥାନ୍ତା 

ଭରସିକି କୋହ ଆଞ୍ଜୁଳେ ଦେଇପାରିଥାନ୍ତି 

ରାତିରେ ସମଗ୍ର ପୃଥିବୀ ସ୍ବପ୍ନରେ ମସଗୁଲ ଥିଲାବେଳେ 

ତୁନି ତୁନି କାନ୍ଦି 

ଫୋନରେ ତାକୁ ନିଜ ଦୁଃଖ ଦୁର୍ଦଶା କଥା ଜଣେଇଥାନ୍ତି 

ନିଜ ଭାଇ ଛଡା ଆଉ କିଏ ବା ବୁଝିବ ନା ବୁଝିପାରିବ ଏତେ ସବୁ ଗୁମର ର କଥା?


ଭାଇ ଟିଏ ହେଲେ ଥାଆନ୍ତା!

ରାଖୀପୁନେଇଁରେ ଜାତି, ଜାତି କାରୁକାର୍ଯ୍ୟରେ ଭରା, ସ୍ନେହର ଡୋର 

ମୋ ମନକୁ ଏମିତି ଖିନଭିନ କରି ମୋ ଆଖିକୁ ସଜଳ କରିନଥାନ୍ତେ 

ମୋ ହୃଦୟ ବିଦାରି ହେଇନଥାନ୍ତା 

ଆଉ ମୋ ପିଲେ ମାମୁଁ ଡାକ ଭୁଲିଯାଇ ନଥାନ୍ତେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍