STORYMIRROR

Sujata Dash

Others

3  

Sujata Dash

Others

କହିଲୁ ଦେଖି?

କହିଲୁ ଦେଖି?

1 min
239


ବୋଉ ! ତୁ ଯାହା

ଶିଖେଇଥିଲୁ, ପଢ଼େଇଥିଲୁ, ବୁଝେଇଥିଲୁ 

ଭୁଲିନି କିଛି ବି ।

"ଚୁପ ରହିଯା ଟିକେ "କେତେ କହୁଥିଲୁ 

ବେଶ ଶିଖିଯାଇଛି ନିଜର କରିନେଇଛି ପୂରା ।

ମୁଣ୍ଡରେ ସିନ୍ଦୁର ମୋ ଦାଉ ଦାଉ ଜଳୁଛି 

ସ୍ୱାମୀ ଶଶୁର ଶାଶୁଙ୍କୁ ନେଇ 

ସଂସାର ମୋର ବେଶ ଭଲରେ ଅଛି, 

ହେଲେ ଭିତରଟା ସବୁବେଳେ

ଉଦୁଉଦିଆ ଖରାବେଳ ପରି ହୁତୁହୁତୁ ଜଳୁଛି

କିଛି ଅଭାବ ନାହିଁ କି କଟକଣା ନାହିଁ ତଥାପି କାହିଁକି ?

ସ୍ୱାମୀ ଅନାଦର କରିନାହାନ୍ତି କେବେ ହେଲେ... 

କାଣିଚାଏ ସ୍ନେହ ଆଦର ପାଇନି ତାଙ୍କଠୁଁ 

ସବୁବେଳେ ବ୍ୟସ୍ତତା ତାଙ୍କୁ ଘେରି ରହିଛି 

ସେଇ ଭିତରେ ନିଜ ଲାଗି ଜାଗାଖଣ୍ଡେ ଖୋଜୁଛି ।

ଶାଶୁ ଖୁବ ଭଲ ପାଆନ୍ତି 

ହେଲେ... ପାନରୁ ଚୁନ ଖସିଗଲେ 

ତୁମ୍ବି ତୋଫାନ ଠିଆ କରିଦିଅନ୍ତି 

ମୁଁ ସବୁ ଶୁଣି ନ ଶୁଣିଲା ଭଳିଆ ହୁଏ 

ତୋ ମନ୍ତ୍ର ଟିକକ ଗଳାର ମାଳି କରିଦିଏ ।

ଟିକିଏ ତୁନି ରହିଗଲେ ଭାରି ସୁବିଧା 

କାହାରି କ୍ଷତି ନାହିଁ ।

ମୋ ଶଶୁର ଦେବତୁଲ୍ୟ 

ମାଛିକୁ ମ ବୋଲି କହନ୍ତିନି, ମଣିଷ କଥା ଛାଡ଼ ।

ବୋହୂ ଉପରେ ତାଙ୍କର ବଡ଼ ସରାଗ 

ସକାଳେ ବ୍ରେଡ଼, ଟି ଦେଲାବେଳେ କାଇଦା କରି

ପାପୁଲି ଟାକୁ ଧରିନିଅନ୍ତି,

କହନ୍ତି... ଏ ଘର କାମ କରିକରି 

ନରମ ପାପୁଲି ଟା ଟାଣ ହେଇଗଲାଣି 

ତୋ ଶାଶୁ କୁ କହିବି ତତେ ହେଲ୍ପ କରିବ 

ହାତ କୁ ଛଡେଇ ଆଣିଲାବେଳେ କହେ... 

ଥାଉ ବାପା... ମୁଁ କରିନେବି 

କେତେଥର ଭାବିଛି ୟା'ଙ୍କ ପାଖରେ କହିବି 

ହେଲେ ତୋ ଗୁରୁମନ୍ତ୍ର ଅସ୍ଥିମଜ୍ଜାଗତ 

କଥା ପାଟି ପର୍ଯ୍ୟନ୍ତ ଆସି 

ଜିଭ ପାଖରେ ଅଟକି ଯାଏ ।

ଏମିତି କାହିଁକି ହୁଏ "ବୋଉ"? 

ଜୀବନର ସବୁ ସମସ୍ୟା କ'ଣ ଚୁପ ରହି 

ସମାଧାନ କରିହବ ? 

କହିଲୁ ଦେଖି? ନାଁ... ତୁ ବି ଚୁପ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍