ଏଇତ ଜୀବନ
ଏଇତ ଜୀବନ
ଧାରେ ଆଲୁଅ
ଥୋକେ ଅନ୍ଧାର
ମିଞ୍ଜିମିଞ୍ଜି ଜଳୁଥିବା ଦୀପ କେତେବେଳେ
କେତେବେଳେ ଉଗ୍ର ସୂର୍ଯ୍ୟ
ଉଭା କେବେ... ପୋତା କେବେ
ଦୁଃଖ ସୁଖର ସମାହିତ ଧାରା
ଏଇତ ଜୀବନ!
ଝାପ୍ସା ଜନ୍ହ... ରୂପରେଖ ଏକ କ୍ଲାନ୍ତ ଅପରାହ୍ନର
ନିରୀହ କାକୁସ୍ଥ ମାଟିର ଆଖିରେ ଶୂନ୍ୟତା
ବେଦନା ଭରା ବୁକୁରେ ତାର
କରୁଣ ରାଗିଣୀର ତାନ
ଆଖିର କୋଣେ ଅନୁକୋଣେ ପୁଞ୍ଜିଭୂତ କୋହ
ନିଜ ଲାଗି ସାବ୍ୟସ୍ତ କରେ ସ୍ଥାନ
ହେଲେ ଆଜିବି
ଜିଣିବାର ଇଚ୍ଛା ତା'ର ବଳବତ୍ତର
ଅନ୍ଧକାର ରାତ୍ରିପରେ ଉଜ୍ଜଳ ଆକାଶରେ ପ୍ରତୀତ ହବ
ଅଭାବିତ ଆନନ୍ଦ
ଉଲ୍ଲସିତ ହବ
ବିସ୍ତୃତ ଆକାଶ
ଆଉ ଲାଜୁଆ ହସ ଟିକକ ମୁଁହରେ ନେସି ଦେଇ
ସଞ୍ଜୀବିତ ହେବ ଧରଣୀ
ଆଶାର ସୁଦୀର୍ଘ ମହାସାଗର
ଶୁଖିପାରେ କି କେବେ!
ସିଏ ଅଲିଭା ଚିତାର ଜ୍ୱଳନ୍ତ ଉଦାହରଣ
ଏକ ସ୍ନେହପ୍ରବଣ ଆବେଗର ଅସରନ୍ତି ଧାରା
ନା ଅଛି ଶେଷ ତାର ନା ଆରମ୍ଭ
ଜୀବନର କଳଙ୍କିଲଗା ଫ୍ରେମ ଭିତରେ
ରୁଗ୍ଣ ବ୍ଲାକ ଆଣ୍ଡ ହ୍ୱାଇଟ କାନଭାସରେ
ଭରିବାକୁ ହେବ ଇନ୍ଦ୍ରଧନୁର ସପ୍ତରଙ୍ଗ
କରିବାକୁ ହେବ ଜୀବନ ରଙ୍ଗରେ ପ୍ଲାବିତ
ଘଣ୍ଟା ମିନିଟ ସେକେଣ୍ଡର ପରିସର ଭିତରେ ଖୋଜିବାକୁ ହେବ
ନିଜ ଲାଗି ଏକ ସନ୍ତୋଷ ଭରା ଜୀବନ
ଜୀବନ ଆଉ ମୃତ୍ୟୁ ଭିତରେ ବନ୍ଧା
ଆମେ ସମସ୍ତେ ଯେ ଈଶ୍ୱର ପ୍ରେରିତ
ହାରିଯିବାର ଦୁଃସ୍ୱପ୍ନ ଭିତରୁ 'ଫୋନିକ୍ସ' ପରି
ଏକ ଗୌରବତମ ଅଧ୍ୟାୟର ପରିକଳ୍ପନା କରିବାଟା ହିଁ
ଶ୍ରେୟସ୍କର ପଦକ୍ଷେପ ହେବ l