STORYMIRROR

SARATA KUMAR DAS

Abstract Others

1.0  

SARATA KUMAR DAS

Abstract Others

ଶରତ ଆସିଛି ଫେରି

ଶରତ ଆସିଛି ଫେରି

1 min
29K


ଜହ୍ନି ଫୁଲର ସ୍ମିତହାସ ଧାରେ

ଶରତ ଆସିଛି ଫେରି

ମୃଦୁ ସମୀରଣ ଓହ୍ଲାଇ ଆସୁଛି

ଚନ୍ଦନ ପଡୁଛି ଝରି ।।

ଶରତ ଆକାଶେ ଶାରଦୀୟ ଶୋଭା

କାଶତଣ୍ଡୀ ଧୀରେ ହସେ

ପାର୍ବଣର ଋତୁ ଲହଡି ଭାଙ୍ଗୁଛି

ଦିନ ମହ ମହ ବାସେ ।।

ସବୁଜ କେଦାର ଶୋଭାର ଭଣ୍ଡାର

ସୁନେଲି କିରଣେ ଖେଳେ

ସଂଜ ନଇଁ ଗଲେ ତମିସ୍ରା ବଳୟେ

ଲୁଚେ ବିଭାବରୀ କୋଳେ ।।

ବରଷାର ସ୍ବର ଚପଳା ଚମକ

ଯାଏ ଅପସରି ଦୂରେ

ରଜତ ଜୋଛନା ଜହ୍ନ ଢାଳିଦିଏ

ଧରଣୀର ବୁକୁ ପରେ ।।

ନୀଳ ଉର୍ମିମାଳା ଗାଉଛି ସଂଗୀତ

ସାଗରର ବୁକୁ ଛୁଇଁ

ବେଳା ଭୂଇଁ ନାଚେ ସେ ସଂଗୀତ ସୁରେ

ନାଚେ ଶସାଗରା ଭୂଇଁ ।।

ଧରଣୀ ରାଣୀର ପଣତ କାନିରେ

ଆଶିଷ ପୀୟୂଷ ଧାରା

ଆକାଶ ପଥରୁ ପୁଷ୍ପ ବୃଷ୍ଟି ହୁଏ

ଚଉଦିଗ ବାସ ଭରା ।।

ଶୁଭ ଶଙ୍ଖନାଦ ଶୁଭେ ଶୁଭ କ୍ଷଣେ

ଘଣ୍ଟ ଘଣ୍ଟା ତୁରୀ ଭେରୀ

ମା' ଆସିଛନ୍ତି ମରତ ମଣ୍ଡଳେ

ଖଣ୍ଡା ଖର୍ପରକୁ ଧରି ।।

ମେଦିନି କମ୍ପୁଛି ସରଗ ହସୁଛି

ଜୟ ମାତା ଦଶଭୂଜା

ଦୁର୍ଗତି ନାଶିନୀ ମହିଷମର୍ଦ୍ଦିନୀ

ସଗର୍ବେ ପାଆନ୍ତି ପୂଜା ।।

ସୁଉଚ୍ଚ ତୋରଣ ଆଲୋକ ବର୍ଣ୍ଣାଳୀ

ବିରାଜିତା ମହାମୟୀ

ମନ୍ତ୍ରର ମହକେ ଆଳତି ସୁଗନ୍ଧେ

ଝଟକନ୍ତି ଯୋଗମାୟୀ ।।

ଶରତ ଆସିଛି ସୌଭାଗ୍ୟ ଉଇଁଛି

ଦେବୀ ମା' ଆବିର୍ଭୂତା

ଧର୍ମ ସଂସ୍ଥାପନୀ ପବିତ୍ର କାରିଣୀ

ହିରଣ୍ମୟୀ ଜଗଜ୍ଜିତା ।।

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ ,ବଡବିଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract