ଦୀପାବଳି
ଦୀପାବଳି


ଘନ ତମିସ୍ରାର ରଜନୀ ଲାଗଇ
ପୁର୍ଣ୍ଣମୀ ରାତ୍ରିଠୁ ବଳି।
ସତେ ଅବା ତାରା ଫୁଲ ଯେତେ ସବୁ
ଆକାଶରୁ ଖସି ଆସିଛନ୍ତି ଆଜି
ପୃଥିବୀ ପୃଷ୍ଠକୁ ବୁଲି।।
ଝଲସି ଉଠୁଛି ଦୀପମାଳା ସହ
ବିଦ୍ୟୁତ୍ ଆଲୋକେ ପ୍ରତି ଅନୁଷ୍ଠାନ
କୁଟୀର ଅବା ପ୍ରାସାଦ।
ଫୁଲଝରୀ ଆଉ ଆତସବାଜିର
ଖେଳେ ପିଲାମାନେ ନେଉ ଅଛନ୍ତି ଆନନ୍ଦ।।
ନାନା ରଙ୍ଗେ ଘର ଶୋଭା ପାଉଅଛି
ଆଲୋକମାଳାରେ ପୂର୍ଣ୍ଣ।
ସାରା ସହରଟା ଦିଶୁଛି ସତେ କି
ନବବଧୂ କେହି ପିନ୍ଧିଅଛି ଅଙ୍ଗେ
ସୁନା, ହୀରା,ନୀଳା, ମୋତି ମାଣିକ୍ୟର
ନାନା ବିଧ ଆଭୂଷଣ।।
ରାମାୟଣ କହେ—
ଚଉଦ ବରଷ ବନବାସ ଅନ୍ତେ
ଫେରିଥିଲେ ରାମ ସୀତା ଓ ଲକ୍ଷ୍ମଣ
ଅଯୋଧ୍ୟାକୁ ଏହି ଦିନ।
ଆଲୋକ ମାଳାରେ ସଜ୍ଜିତ ଅଯୋଧ୍ୟା
ନଗରୀର ଦ୍ୱାର-ଦେଶେ ଶୋଭୁଥିଲା
ସୁଦୃଶ୍ୟ ତୋରଣ ମାନ।।
ପ୍ରତି ଘର ଦ୍ୱାର ମୁହେଁ ଶୋଭୁଥିଲା
ରମ୍ଭା ବୃକ୍ଷ ସହ ଶୁଭ୍ର ଧାନ୍ୟ ପରେ
ମଙ୍ଗଳ କଳସୀ ମାନ।
ସାରା ନଗରୀରେ ଗୁଞ୍ଜରୁ
ଥିଲା
ସ୍ୱାଗତ ଗୀତିକା ସହିତ ମଙ୍ଗଳଗାନ।।
ସେ ଦିନର ସେହି ଅପୂର୍ବ ସ୍ମୃତିକୁ
ଉଜ୍ଜୀବିତ କରି ଆଜି ଦେଶବାସୀ ସର୍ବ
ମହା ଆଡମ୍ବରେ ପାଳନ କରନ୍ତି
"ଦୀପାବଳି" ନାମେ
ଆଲୋକର ଏହି ପର୍ବ।।
ଦେଶର ବିଭିନ୍ନ ପ୍ରାନ୍ତରେ ପାଳିତ
ହୁଏ ଏହି ପର୍ବ ଭିନ୍ନ ପରମ୍ପରା ନେଇ।
ଉତ୍କଳେ "ପିପେଇ ଡକା" ନାମେ
ଏହି ପର୍ବ ପାଳିତ ହୁଅଇ।।
କାହୁଁରିଆ କାଠି ଜଳାଇ
ଉର୍ଦ୍ଧ୍ୱକୁ ଟେକି ଦୁଇ ହସ୍ତେ
ପିତୃ ପୁରୁଷଙ୍କୁ କରିଥାନ୍ତି ଆବାହନ।
ବିଦାୟ ଦିଅନ୍ତି ଆଲୋକ ଦେଖାଇ
ଯିବା ପାଇଁ ଗଙ୍ଗା ଗୟା ଅବଶେଷେ
ପୁରୁଷୋତ୍ତମ ସ୍ଥାନ।।
କେତେ ଅଞ୍ଚଳରେ ପ୍ରତି ଗୃହେ ହୁଏ
ଲକ୍ଷ୍ମୀ ମାତାଙ୍କ ପୂଜନ।
ମନରେ ବିଶ୍ୱାସ ମାତା ଲକ୍ଷ୍ମୀ ଯଦି
ହୋଇବେ ପ୍ରସନ୍ନ ମିଳିଥାଏ ଧନ ରତ୍ନ।।
ବହୁ ଅନେକତା ମଧ୍ୟରେ ଏକତା
ଏ ଦେଶେ ଆମର ସୁଦୃଢ ଆମ ସଂସ୍କୃତି।
ଦୀପାବଳିର ଏ ପବିତ୍ର ତିଥିରେ
ଦେଶବାସୀ ସର୍ବେ ରହନ୍ତୁ ଖୁସିରେ
ହେଉ ଦେଶର ଉନ୍ନତି।।