ସତେ କେତେ ଭଲ ସେଇମାନେ
ସତେ କେତେ ଭଲ ସେଇମାନେ
ଅନୂଢା ଯୁବତୀ ସିଏ
ବୟସ ତା ଷୋଳ କି ସତର
କେବେ ବି ଭାବିନି ସେ ନିଜେ
ନିଜକୁ ସୁନ୍ଦର ॥
ଯେବେଠୁ କେ ଅଜଣା ଯୁବକ
କହିଦେଲା
ଆଖି ଦୁଇ ତୁମ କି ସୁନ୍ଦର
କେଡେ ମନୋହର ?
ସେବେଠୁ ସେ ପ୍ରତିଦିନ
ଅଇନା ଆଗରେ,
ଦେଖୁଛି ତା ମୁହଁ ବାରମ୍ବାର ॥
ମାଖୁଛି ମୁହଁରେ ନାନା
ପ୍ରସାଧନୀ ଦ୍ରବ୍ୟ
ଉକୁଟି ଉଠୁଛି ତା ଓଠେ
ହସର ଜୁଆର ,
ମନେ ମନେ ଭାବୁଛି ସେ
ସତେ କେତେ ଭଲ ସେଇମାନେ,
ଶିଖାଇ ଦିଅନ୍ତି ଯେ କଳା
ନିଜକୁ ଭଲ ପାଇବାର ॥