ମୋ ପ୍ରିୟା
ମୋ ପ୍ରିୟା
ଚତୁର୍ଦିଗ ମୋତେ ଦିଶେ ପ୍ରେମମୟ
ତା ମଧ୍ୟେ ତୁମର ଛବି
ଆଖି ବୁଜିଦେଲେ ଅନ୍ତର୍ମନେ ଦେଖେ
ରହିଅଛ ତୁମେ ଦ୍ରବି ॥
ତୁମେ ମୋ ହାସରେ ତୁମେ ମୋ ଭାଷରେ
ତୁମେ ମୋର ସର୍ବାଙ୍ଗରେ
ରଙ୍ଗାଇ ଦେଇଛ ସର୍ବାଙ୍ଗକୁ ମୋର
ପ୍ରକୀର୍ଣ୍ଣ ପ୍ରେମ ରଙ୍ଗରେ ॥
ତୁମେ ନିଶ୍ୱାସରେ ତୁମେ ପ୍ରଶ୍ୱାସରେ
ପ୍ରୀତିର ସୁଗନ୍ଧ ହୋଇ
ମହକାଉ ଅଛ ମୋ ମନ ଅଙ୍ଗନ
ନିରନ୍ତର ପାଶେ ରହି ॥
ଆଗୋ ସୁକେଶିନୀ ମୋ ପ୍ରାଣ ସଙ୍ଗିନୀ
କୃଶକଟି ବିମ୍ବଓଷ୍ଠୀ
ଗୁରୁ ନିତମ୍ବିନୀ ଅଳସ-ଗାମିନୀ
ଚକିତ କୁରଙ୍ଗୀ ଦୃଷ୍ଟି ॥
ଶୋଇଗଲେ ତୁମେ ଅନ୍ଧାର ଘୋଟଇ
ଚେଇଁଲେ ସକାଳ ଫେରେ
ହସିଦେଲେ ଜହ୍ନ ଲାଜେଇ ଯାଏଗୋ
କାନ୍ଦିଲେ ଶ୍ରାବଣ ଝରେ ॥
ଛୁଇଁଦେଲେ ମନ୍ଦ ମଳୟ ବହଇ
ଚାହାଣି କାହାଣୀ କହେ
ତୁମେ ମୋ ପ୍ରେମର ଅଭୁଲା ଫଗୁଣ
ଗୋଲାପି ବସନ୍ତ ଟିଏ ॥
ଯେତେଦିନ ରହି ଥିବା ଏ ସଂସାରେ
ପ୍ରେମେ ବିତିଯାଉ ଦିନ
ପ୍ରେମ ବନ୍ଧନରେ ବାନ୍ଧି ହୋଇଗଲେ
ଶତ୍ରୁ ବି ଆପଣା ଜନ ॥
ଭାବ ଦିଆ ନିଆ ହୋଇଗଲେ ଥରେ
ସହଜ ହୁଏ ମିଳନ
ମିଳନରୁ ମହା ମିଳନ ଘଟଇ
ଜୀବନ ହୁଅଇ ଧନ୍ୟ ॥
ଆସ ଥରେ ପ୍ରିୟା ମିଶିଯିବା ଆମେ
ହୋଇଯିବା ଏକାକାର
ଜୀବନର ପଥ ଆଲୋକିତ ହେବ
ହଟିଯିବ ଅନ୍ଧକାର ॥
ସଂସାର ଜଞ୍ଜାଳେ ଯେତେ ଝଡଝଞ୍ଜା
 
; ସବୁତ ଯାଇଛ ସହି
ଦିନେ ହେଲେ ପ୍ରିୟା ନିଜ ପାଇଁ କିଛି
ଚାହିଁନ ମାଗିବା ପାଇଁ ॥
ପ୍ରିୟ ପରିଜନ ଆତ୍ମୀୟ ସ୍ୱଜନ
ସଭିଙ୍କ ନେଇଛ ମନ
କହି ମିଠା କଥା ବୁଝି ତାଙ୍କ ବ୍ୟଥା
ହୋଇଛ ପ୍ରିୟ ଭାଜନ ॥
ତୁମ ପାଇଁ ପ୍ରିୟା ସରଗ ନରକ
ମରତ ମୋ ଏଇଠାରେ
ଏଇ ଘର ମୋର ବଇକୁଣ୍ଠପୁର
ଶେଷ ନିଶ୍ୱାସ ଏଠାରେ ॥
ମାଗିନାହଁ କେବେ ଅଞ୍ଜଳିରେ ଭରି
ଦିଅ ସୁନା ରୂପା ହୀରା
କହିନାହଁ କେବେ ତୋଳିଆଣି ଦିଅ
ଆକାଶରୁ ଚାନ୍ଦ ତାରା ॥
ଚାହିଁଛ ସାନ୍ନିଧ୍ୟ କରିନାହଁ ବାଧ୍ୟ
ବସିବାକୁ ନିଜ ପାଖେ
ଅନ୍ତରର କ୍ଳେଶ ନକରି ପ୍ରକାଶ
ଫୁଟାଇଛ ହସ ମୁଖେ ॥
ଅସ୍ତାଚଳ ପଥେ ଜୀବନ‐ସୂରୁଜ
ବାକି ଆଉ ସ୍ୱଳ୍ପ ପଥ
ଅଭିନୟ ଶେଷ କରିଯିବା ଆସ
ରଖି ହାତ ପରେ ହାତ ॥
ଏ ଜୀବନ ପାତ୍ର କରିଛନ୍ତି ପୂର୍ଣ୍ଣ
ନାନା ଭାବେ ଜଗତ୍ପତି
କିପରି କହିବା କିଛି ପାଇନାହେଁ
ନୁହେଁ ଆମେ ମୂଢମତି ॥
ସେହି ପ୍ରିୟତମ ହରିଛନ୍ତି ଭ୍ରମ
କି ମାଗିବା ତାଙ୍କୁ ଆଉ
ଏ ଶେଷ ମାଗୁଣି ଜୀବନ ତରଣୀ
ବିନା ବିଘ୍ନେ ଭାସିଯାଉ ॥
ବଢାଇଛନ୍ତି ସେ ସମ୍ପର୍କର ହାତ
ଏ ଆମ ଜୀବନ ପଥେ
ଛଡାଇଛନ୍ତି ସେ ସବୁ ଜାଣି ଜାଣି
ଆମର ଜ୍ଞାତ ଅଜ୍ଞାତେ ॥
ପାହିବା ଆଗରୁ ମିଳନର ରାତି
ଗାଇବା ତାଙ୍କ ବନ୍ଦନା
ସେ ପାଇଁ ସେ ଆମ ଜୀବନ ବୀଣାରେ
ଭରିଛନ୍ତି ମୂରୁଛନା ॥