ପ୍ରୀତି ଉପହାର
ପ୍ରୀତି ଉପହାର
ସାଗର ବେଳାରେ ସୁନେଲି ସକାଳେ
ନୀଳ ପରୀଟିଏ
ମୋ' ଆଖିରେ ପଡିଗଲା ।
ସାଗର କନ୍ୟାର ସଉରଭ ନେଇ
ନୀଳ ଲହାରୀକୁ
ପରାଜିତ କରୁଥିଲା ।
ଆଖିରେ ତା' ଥିଲା ବିଜୁଳି ଚମକ
ଚୂର୍ଣ୍ଣ କୁନ୍ତଳରେ
ଶ୍ରାବଣୀର ରଂଗଶାଳା ।
ଓଠରେ ତାହାରି ନିର୍ଲିପ୍ତ ବେଦନା
ଓଠର ଭାଷାକୁ
ଆଖିରୁ ଝରାଉ ଥିଲା ।
ଦରଦ ସବୁକୁ ତୁଳୀର ମୁନରେ
ଭିଜା ବାଲି ଦେହେ
କବିତାର ରୂପ ଦେଇ ।
ଆଙ୍କି ଦେଇ ଗଲା ନିଜ ଚିତ୍ରପଟ
କପଟ,ଛଳନା
ଦୁନିଆଁ ରୁ ଦୂର ହୋଇ ।
ସେଇ ଚିତ୍ରପଟ ଗୁଣୁ ଗୁଣୁ ହୋଇ
ନିର୍ବିକାର ଭାବେ
କେତେ କଥା କହି ଗଲା ।
ନଥିଲା ସେଥିରେ ମିଛ ବା ଛଳନା
ଜୀବନ ଯାତନା
ତା' ସୁରରେ ଭରିଥିଲା ।
କରିଛି ଶପଥ ତା' ଜୀବନ ଗୀତ
କବିତା ରୂପରେ
ଦୁନିଆଁକୁ ଶୁଣେଇବ ।
ବନ୍ଦିନୀ ନ ହୋଇ ଜିଇଁବାର ପାଇଁ
ତା' ପ୍ରିୟ ସାଥୀଙ୍କୁ
ଗୀତେ ଗୀତେ ବୁଝେଇବ ।
ସରଳା ସେ ସିନା, ଦୁର୍ବଳା ନୁହେଁ ସେ
ତା' କବିତା ସବୁ
ତାହାରି କାହାଣୀ କୁହେ ।
ସଂଗ୍ରାମୀ ମନ ତା' ପ୍ରତିବାଦ ସୁରେ
ଭିନ୍ନ ଦୁନିଆଁର
ଗଢିବାର ରାହା ଦିଏ ।
କବିତା ଜଗତ ଉର୍ବଶୀ ସେଇ
ହୃଦୟ ତାହାର
ବସୁନ୍ଧରା ବେଳା ଭୁମି ।
ଅଳପ କଥାରେ ମନ ଅଗଣାରେ
ପ୍ରୀତିର ଅଂକୁର
ସୃଜିଲା ହୋଇ ଉର୍ମି ।
ତା' ସୁରରେ ସୁର ମିଶିଗଲା ମୋର
ହୃଦୟେ ଉଠିଲା
ମହା ବିପ୍ଳବର ଝାଞ୍ଜି ।
ଅବ୍ୟକ୍ତ ବେଦନା ଅକୁହା ଯନ୍ତ୍ରଣା
ପ୍ରତିବାଦ ଛବି
ବାଲି ଦେହେ ଦେଲୁ ଖଞ୍ଜି ।
ନାରୀ ଓ ପୁରୁଷ ଉଭୟେ ସମାନ
ସେ ଛବି ଦେହରେ
ପ୍ରତୀତ, ପ୍ରଘଟ ହେଲା ।
ସମାଜରେ ଅନ୍ଧ ପରମ୍ପରା ନେଇ
ପରିବର୍ତ୍ତନର
ଜୁଆର ଉଠେଇ ଦେଲା ।
ଭିଜା ମନ ମୋର ଉଡ଼ି ଲୁଚିଗଲା
ସେ ନୀଳ ପରୀର
ଫିକା ପଣତ କାନିରେ ।
ପ୍ରୀତି ଉପହାର ଛାଡି ଦେଇଗଲା
ଫୁଲ ମହକର
ଛୋଟ ମନ ଅଗଣାରେ ।