କିଛି ସମୟ ତ ମୋତେ ଦେ
କିଛି ସମୟ ତ ମୋତେ ଦେ
କେତେବେଳେ ମୁଁ ତ
କେତେବେଳେ ସିଏ
ରାଗରେ ତମ ତମ ।
ସବୁ ପୃଷ୍ଠାକୁ ପଢିବା ସମ୍ଭବ ନୁହେଁ
ଏମିତି କଟି ଚାଲିଛି ଏ ଜୀବନ॥
ଅତିକ୍ରାନ୍ତ ହୋଇଛି ସେ ସମୟ ସବୁ
ଯେତେବେଳେ କିଛି ଶୁଣିଥିଲି ଆଉ
କିଛି କହି ବି ଥିଲି ।
ଏମିତି ଶୁଣିବା ଆଉ କହିବାରେ
ବାଣ୍ଟି ହୋଇ ଯାଇଛି ଏ ଜୀବନ ॥
କିଛି ଖୁସି ଥିଲା କିଛି ଦୁଃଖ ବି
ଓଠରେ କିଛି ହସ ଥିଲା ଆଉ
ଆଖିରେ କିଛି ଲୁହ ବି
କେବେ ଧାଇଁଛି ତ କେବେ ସ୍ଥିର
ଠିକ୍ ବରଫ ଜମାଟ ବାନ୍ଧିଲା ପରି
ଏମିତି ବିତି ଚାଲିଛି ଏ ଜୀବନ ॥
ଏବେ ତ ଶେଷ ପ୍ରହର
ସ୍ଥିର ହୋଇ ଯା ତୁ
ଟିକେ ଜିଇବାକୁ ଦେ ମୋତେ
ମୋ ଇଚ୍ଛା ଅନୁସାରେ
ଜୀଇଁବାକୁ ଚାହୁଁଛି ମୁଁ
ମୋ ଖୁସିମାନଙ୍କ ମେଳରେ
କିଛି ସମୟ ପାଇଁ
ତୁ ଏବେ ଆସନାରେ ମୃତ୍ୟୁ
କିଛି ସମୟ ତ ମୋତେ ଦେ ॥