ମା ଗୋ ସିଂହବାହିନୀ
ମା ଗୋ ସିଂହବାହିନୀ
ଅଶିଣ ଆକାଶେ ଶୋଭପାଏ ଆଜି
ଚନ୍ଦ୍ର ସଙ୍ଗେ ତାରାଫୁଲ
ଧରାବକ୍ଷେ ଆଜି ବହୁଅଛି ମନ୍ଦ
ମନ୍ଦ ସମୀର ଶୀତଳ ॥
ଶୁଭ୍ର କାଶଫୁଲେ ସଜେଇ ହୋଇଛି
ଆଜି ଏ ଧରଣୀ ରାଣୀ
ଜଳେ କ୍ରୀଡାରତ ମରାଳ ଯୁଗଳ
ପ୍ରସ୍ଫୁଟିତ କୁମୁଦିନୀ ॥
ତୁମ ଧରା ଅବତରଣ ପାଇଁକି
ଆଗୋ ମା ସିଂହବାହିନୀ
ଉତ୍କଣ୍ଠିତା ଏଇ ଚାରୁ ଶୋଭାମୟୀ
ପ୍ରକୃତି ସହ ଧରଣୀ ॥
ଆସ ମାତେ ତୁମେ ବିପତ୍ତି ଅନ୍ଧାରେ
ଆଲୋକ ବର୍ତ୍ତିକା ହୋଇ
ଆସ ମାତେ ତୁମେ ଦୁଃଖର ସାଗରେ
ଖୁସିର ସମ୍ଭାର ନେଇ ॥
ଆସ ମାତେ ତୁମେ ସୁହାଗିନୀ ଶିର
ସୀମନ୍ତ ସିନ୍ଦୂର ହୋଇ
ଆସ ମାତେ ତୁମେ ସବୁ ସମ୍ପର୍କରେ
ପ୍ରେମର ଦ୍ୟୋତକ ହୋଇ ॥
ବସନ୍ତର ପୁଷ୍ପ ସମ୍ଭାର ହୋଇ ମା
ଆସ ଏ ଶରତ ଲଗ୍ନେ
ଫଗୁଣର ରଙ୍ଗ ଭରିଦିଅ ମାତେ
ସମସ୍ତଙ୍କ ତନୁମନେ ॥
ସବୁରି ମନର ଅଭିଳାଷେ ମା ଗୋ
ପୂର୍ଣ୍ଣତା ଦିଅ ଭରି
ଶିଥିଳ ଶରୀରେ ଉଷ୍ମ ରକ୍ତର
ପ୍ରବାହ ଯାଉ ସଂଚରି ॥
ତୁମେ ଗତି ମୁକ୍ତି ସକଳ ଶକତି
ମହିମା ତୁମ ଅପାର
ଆସ ଅବତରି ଏ ଧରା ଧାମରେ
ସର୍ବ ଦୁଃଖ କର ଦୂର ।।ା