ବେଦନା ଓ ବିଶ୍ୱାସ ===========
ବେଦନା ଓ ବିଶ୍ୱାସ ===========
ପୁଞ୍ଜିଭୂତ ବେଦନାରେ
ମନ ମୋର ଭାରାକ୍ରାନ୍ତ ।
ସକାଳ ଗଲାଣି ଗଡି
ହୋଇଲାଣି ସଞ୍ଜ
ପାଏନା ମୁଁ ଖୋଜି ଜଣେ
ଯା'ଆଗେ କରନ୍ତି ମୋର
ମନକଥା ବ୍ୟକ୍ତ ।।
ବେଦନାର ଅନ୍ତ ନାହିଁ ।
ଗୋଟିକ ପରେ ଗୋଟିଏ
ଯୋଡିହୋଇ ଯାଆନ୍ତି ମୋ
ବେଦନା ପୁଞ୍ଜରେ ।
ଅକୁହା ସେ ମନକଥା,
ଅଜଣା ରହିଯାଏ ସମସ୍ତଙ୍କ ପାଇଁ
କହିବାକୁ ସାହସ ମୁଁ ଜୁଟାଇ ପାରେନି
ମୋ ମନ ଭିତରେ ।।
ବିଷୟାସକ୍ତ ଓ ବିଷାକ୍ତ ଏହି ବିଶ୍ୱରେ
କାହାକୁ ମୁଁ କରିବି ବିଶ୍ୱାସ ?
କାହା ଆଗେ କହିବି ମୋ
ଦୁଃଖର କାରଣ
କରିବାକୁ ମନ ମୋ ଉଶ୍ୱାସ ।।
ପତି ପତ୍ନୀ ସମନ୍ଧରେ
ଆଜି ସନ୍ଦେହର ଚିହ୍ନ ।
ଦୁର୍ବଳ ହେଲାଣି ସେ
ବିବାହର ପବିତ୍ର ବନ୍ଧନ ।।
ଆଗେ ଚାଖି ପଛେ କିଣା
ବରକୋଳି ଭଳି,
ଆଜିକାଲି ବିବାହଟା ସମାଜରେ
ହେଲାଣି ସେଭଳି ।।
ରକ୍ତର ସେ ଲାଲ ରଙ୍ଗ
ଫିକା ପଡିଲାଣି ।
ନିବିଡ ସେ ରକ୍ତ ସମ୍ପର୍କଟା
ଧୀରେ ଧୀରେ ହୁଗୁଳା ହେଲାଣି ।
ଆଉ ଵୃଦ୍ଧାଶ୍ରମର ଆବଶ୍ୟକତା
ଜରୁରୀ ହେଲାଣି ।।
ପ୍ରତି କ୍ଷଣେ ଚାଲେ ଆଜି
ହଣାକଟା ପୋଡାଜଳା
ରକ୍ତାତ ସଂଘର୍ଷ ।
ଧର୍ଷଣ ଭ୍ରଷ୍ଟାଚାର ବେଆଇନ କାର୍ଯ୍ୟ
ଅନେକ ଓ ଅଶେଷ ।
କିପରି କରିବି ମୁଁ କାହାକୁ ବିଶ୍ୱାସ ।।
ବରଂ ମୋ ବେଦନାପୁଞ୍ଜକୁ
ନେଇଯିବି ମୃତ୍ୟୁବେଳେ ସଙ୍ଗେ
ପରଜନ୍ମ ପାଇଁ ।
ରଖିଥିବି ମୋ ମନ ଭିତରେ
ଯେପର୍ଯ୍ୟନ୍ତ ନପାଇଛି
ବିଶ୍ୱାସୀ ମଣିଷଟିଏ
ଶୁଣାଇବା ପାଇଁ ।।
****
ବାଉରିବନ୍ଧୁ ଲେଙ୍କା
ଦି ପର୍ଲ ରେସିଡେନ୍ସି,
ଦୁର୍ଗାମାଧବ ନଗର, ଭୁବନେଶ୍ୱର
୯୮୫୩୫୩୫୮୪୪
