ଏମିତି କାହିଁକି ହୁଏ
ଏମିତି କାହିଁକି ହୁଏ
କେବେ କେବେ ହସିଦେଲା ପରେ
ରାଗ ଆସେ ନିଜ ହସ ଉପରେ,
ଆଉ କେବେ ଇଚ୍ଛାହୁଏ ହସାନ୍ତି କି
ଏ ଦୁନିଆଟାକୁ ମୋ ହସରେ ॥
କେବେ ସବୁ ଦୁଃଖକୁ ଲୁଚାଇ ରଖେ
ହୃଦୟର କେଉଁ ଅଜଣା କୋଣରେ,
ଆଉ କେବେ କେବେ ଇଚ୍ଛାହୁଏ
ସବୁକିଛି ଶୁଣେଇ ଦିଅନ୍ତି କାହା ଆଗରେ ॥
କେବେ କେବେ କାନ୍ଦ ଲାଗେନା
ଲଦିହୋଇ ପଡୁ ଯେତେ ଦୁଃଖ ଓ କଷଣ,
ଆଉ କେବେ କେବେ ଛାଏଁ ଛାଏଁ
ଝରିଯାଏ ନୟନରୁ ଲୁହର ଶ୍ରାବଣ ॥
କେବେ କେବେ ବହୁତ ଇଚ୍ଛା ହୁଏ
ବୁଲିବାକୁ ଲଗାମ ଛଡା ହୋଇ,
ଆଉ କେବେ ଇଚ୍ଛା ହୁଏ ରହିବାକୁ
କାହାର ବାହୁବନ୍ଧନରେ ବାନ୍ଧିହୋଇ ॥
ମନ ଚାହେଁ କେବେ କେବେ
ଜୀବନରେ କିଛି ନୂଆ ହେଉ,
ଆଉ କେବେ କେବେ ମନ କହେ—
ନା ଯେମତି ଚାଲିଛି ସେମତି ଚାଲିଥାଉ ॥