ସତେ କଣ ମୁଁ ବୁଢ଼ା ହେଲିଣି
ସତେ କଣ ମୁଁ ବୁଢ଼ା ହେଲିଣି
ଚାଲିଗଲେ ଟିକେ ଥକି ପଡୁଛି ମୁଁ
ଆଗପରି ଆଉ ବଳ ପାଉନି
ବେଶିଦିନ ଆଉ ବଞ୍ଚିବିନି ବୋଧେ
ନିଶ୍ୱାସ ନେବାରେ କଷ୍ଟ ହେଲାଣି
ସତେ କଣ ମୁଁ ବୁଢ଼ା ହେଲିଣି ?
ଚଷମାକୁ ଯେତେ ବଦଳେଇଲେ ବି
ଆଖିକୁ ମୋ ଆଉ ଭଲ ଦିଶୁନି
ବଡ଼ ପାଟିକରି କହିଲେ ବି କେହି
କାନକୁ ମୋ ଆଉ ଭଲ ଶୁଭୁନି
ସତେ କଣ ମୁଁ ବୁଢ଼ା ହେଲିଣି ?
ରାଗୁଥିଲି ଆଗେ ଯେଉଁ କଥା ଶୁଣି
ଏବେ ସବୁ ଅଣଦେଖା କଲିଣି
କାହାରି ଉପରେ ରାଗିବାକୁ ଏବେ
ଛାତିରେ ଛାନିଆ ପଶିଗଲାଣି
ସତେ କଣ ମୁଁ ବୁଢ଼ା ହେଲିଣି ?
ମନ ଭିତରର କୋହ ଯେତେ ସବୁ
ଆଖି ଲୁହ କରି ନିଗାଡ଼ିଲିଣି,
କେହି ପଚାରିବା ଆଗରୁ କହୁଛି
ଆ
ଖି ମୋ ଖରାପ ହୋଇଗଲାଣି,
ସତେ କଣ ମୁଁ ବୁଢ଼ା ହେଲିଣି ?
ମୁ୍ହଁ ଟାଣ ମୋର କମ ନୁହେଁ
ହେଲେ ଶରୀରର ଆଉ ବଳ ପାଉନି
ଭିତରେ ଭିତରେ ଘୁଣ ଖାଇଲେଣି
ମନଟା ଦୁର୍ବଳ ହୋଇଗଲାଣି
ସତେ କଣ ମୁଁ ବୁଢ଼ା ହେଲିଣି ?
ଭୁଲ କରିବାଟା ସ୍ୱାଭାବିକ
ଯେଣୁ ବୟସଟା ମୋର ବଢ଼ିଗଲାଣି
ଭୁଲ ପ୍ରାୟଶ୍ଚିତ କରିବା ପାଇଁକି
ମନେ ଅନୁତାପ ଏବେ କଲିଣି
ସତେ କଣ ମୁଁ ବୁଢ଼ା ହେଲିଣି ?
ସର୍ବେ ନିଜ ନିଜ ଅଭିନୟ ସାରି
ସଂସାରରୁ ଦିନେ ନେବା ମେଲାଣି
ଚାଲୁ ଚାଲୁ ଚାଲିଯାଆନ୍ତି କି ମୁହିଁ
ଏବେ ଠାରୁ କାହିଁ ମନ ହେଲାଣି
ସତେ କଣ ମୁଁ ବୁଢ଼ା ହେଲିଣି ?