ସାର୍ବଭୌମ ଆମ ଦେଶ
ସାର୍ବଭୌମ ଆମ ଦେଶ
ପୂଜ୍ୟ ମାହାତ୍ମା ଗାନ୍ଧୀଙ୍କର ସେହି
ଅହିଂସା ମନ୍ତୁରା ବାଡି
ଦେଖି ପଳେଇଲା ଇଂରେଜ ଶାସକ
ଆମ ଏ ଦେଶକୁ ଛାଡି ।
ଆମ ଦେଶ ଆମେ ଶାସନ କରୁଛୁ
ରହିଅଛି ସମ୍ବିଧାନ
ଲୋକ ପ୍ରତିନିଧି ବାଛନ୍ତି ଜନତା
କରି ନିଜ ମତ ଦାନ ।
ସାର୍ବଭୌମ ସାଧାରଣତନ୍ତ୍ର ଦେଶ
ଆମ ଏ ଭାରତବର୍ଷ
ମହିମା ମଣ୍ଡିତ ଐତିହ ଆମର
ସ୍ୱୀକୃତି ଦେଇଛି ବିଶ୍ୱ ।
ନାହିଁ ଜାତି ଧର୍ମ ଭେଦଭାବ ଏଠି
କରନ୍ତି ସମସ୍ତେ ବାସ
ସେଥିପାଇଁ ଆମେ ଗର୍ବେ କହୁ ଆଜି
ଧର୍ମ ନିରପେକ୍ଷ ଦେଶ ।
ଦେଶର ଜନତା ମଧ୍ୟରେ ଏକତା
ସବୁଠୁ ଗୁରୁତ୍ୱପୂର୍ଣ୍ଣ
ଏକତା ନଥିଲେ କେତେବେଳେ ପୁଣି
ହୋଇଯିବା ପରାଧୀନ ।
ବିଚ୍ଛିନ୍ନତା ସ୍ୱର ଶୁଣାଯାଏ ଆଜି
ଅସ୍ଥିର ବିଭିନ୍ନ ପ୍ରାନ୍ତ
ଉତ୍ତୁଙ୍ଗ ସ୍ୱରେ ମାଗନ୍ତି ଆଜାଦୀ
ନୁହେଁ ଏ ଶୁଭ ସଂକେତ ।
ଆଜି ଏ ତ୍ରିରଙ୍ଗା ତଳେ ଆମେ ସବୁ
ନେବାରେ ବଜ୍ର ଶପଥ
ଅଖଣ୍ଡ ରଖିବା ଦେଶକୁ ଆମର
ସଦା ଥିବ ସୁରକ୍ଷିତ ।