କିମ୍ବଦନ୍ତୀ
କିମ୍ବଦନ୍ତୀ
ସତ କହିବାକୁ ଗଲେ
ତୁମେ ସବୁ ଥିଲ
ମୋ କାଙ୍ଗାଳ ପଣର
ସମ୍ଭ୍ରାନ୍ତ ଠାଣି ।
ମୋ ଭୋକ ପାଇଁ
କଂଶାଏ ପଖାଳ ।
ମୋ ମୁଣ୍ଡ ବିନ୍ଧା ପାଇଁ
ସାଇତା ଅମୃତାଞ୍ଜନ ।
ମୋ ସ୍ୱପ୍ନ ପାଇଁ
ଗୋଟେ ତାରା ଭର୍ତ୍ତି ଆକାଶ ।
ମୋ ତିନ୍ତିଲା ପଣ ପାଇଁ
ଗୋଟେ ଚିରସ୍ଥାୟୀ ଲଘୁଚାପ ।
ମୋ ନିରାପଦ ପାଇଁ
ଗୋଟେ ଏରକା ଅରଣ୍ୟ ।
ମୋ ସଂଘର୍ଷ ପାଇଁ
ଯଥେଷ୍ଟ ଆଦ୍ର ପଣ ।
ସବୁକୁ ନେଇ ଗୋଟିଏ
ଧାଡିରେ କହିବି
ତୁମେ ସବୁ
ମୋ ସାଧନା ପାଇଁ
ମୋ କବିତା ପାଇଁ
ମୋ ସ୍ୱପ୍ନ ପାଇଁ
ସବୁଠୁ ବଡ କଞ୍ଚାମାଲ୍ ।
ହଠାତ୍ ଏ କଣ!
ବିଦାୟର ବିଗୁଲ୍
ପୁଣି ଏତେ ଶୀଘ୍ର!
ବିଗୁଲ୍ ଶବ୍ଦରେ
ରଂଗା ରଂଗ ପରିବେଶ ଓ
ତୁମ ମାନଙ୍କ ଗୁମ୍ ସୁମ୍ ପଣରେ
ହଠାତ୍ ଘୁମେଇ ପଡିଛି
ତୁମ ସହ ବିତିଥିବା
ଦୀର୍ଘ ଦୁଇ ବର୍ଷର ଅଭୁଲା ସମୟ
ଆଉ ଜାଣିଛ
ଏ ଅଭୁଲା ସମୟ
ଅଳ୍ପ କେଇଟା ଦିନ ପରେ
ପାଲଟି ଯିବେ
ଗୋଟେ ଦୀର୍ଘ କିମ୍ବଦନ୍ତୀ ।।