ଫୂତ୍-କାର
ଫୂତ୍-କାର
ମୋର ଜନ୍ମ
ତୁମ କୃତ୍ରିମ ଆଦିମତାରୁ
ତୁମ ଅଖାଦ୍ଯ ପଣରୁ
ତୁମ ନିର୍ଲଜ ରମଣ କ୍ରିଡାରୁ ।
ତୁମେ କଣ ଭାବୁଛ
ଅଲଣା ଭୋକକୁ ଚରିତାର୍ଥ ପାଇଁ
ଅନ୍ଧାର ରେ ଢୁକି ଥିବା କିଛି କଅଁଳ ମାଂସ
ଟଏଲେଟ୍ ରେ ସ୍ୱାହା ହେଇଯିବ,,,,,,!
ବରଂ ତାହା କଣ୍ଟା ହୋଇ ଅଟକି ଯିବ
ତୁମ ମଳ ଦ୍ୱାର ର ନରମ ମାଂସ ରେ !
ତୁମର ଦେବୀ ପୂଜିବା ଏକ ବାହାନା
ବରଂ
ତୁମେ ତୁମ ଧାରୁଆ ପରମ୍ପରାରେ କାଟ
ମୁଁ କେବେ ଚାହିଁ ନଥିବା
ଗୋଟେ ହୃଷ୍ଟ ପୃଷ୍ଟ ନିରୀହ ଜୀବନ ।
ସ୍ନେହ ଆଦର ରେ
ଖାଇଥିବା କେରାଏ ଦୂବ ଘାସରେ
ତାକୁ ଦିଶେନି ତୁମ ଖର ନିଶ୍ୱାସ
କାନରେ ବାଜେନି ତୁମ କୁମ୍ଭୀର କାନ୍ଦଣା
ଓ ତୁମ ଖେଚଡ ଆବେଗ ।
ସେଥିପାଇଁ ତ
ତୁମେ କଟୁରି ଉଞ୍ଚାଇଲେ
ସେ ନୂଆଁଇ ଦିଏ
ସେ ଜାଣି ନ ଥିବା
ତା ବଳକା ଜୀବନର ସବୁଜ ଡାଳ ।
ନାଚିବାକୁ ଆସିଥିବା କଅଁଳ ପାଦ ଦୁଇଟି କୁ
କେବଳ ଘୁଙ୍ଗୁର ବାନ୍ଧି ବସାଇ ଦେଇଛ
କେଉଁ ନାଟ ମନ୍ଦିର ରେ,
ଅବା ଉଲଗ୍ନ କରି ସଜାଇ ଦେଇ ଖଞ୍ଜି ଦେଇଛ
କେଉଁ ଐତିହାସିକ ପଥର ସନ୍ଧିରେ ।
ଯଦି ତୁମର ଏ ଆଶୁରିକତା
କାହାର ବସ୍ତ୍ର ଉତ୍ତରଣ ଦିଗରେ ଥାଏ
ତେବେ ମନେ ରଖ
ନାରୀ ଟିଏ ବସ୍ତ୍ର ପିନ୍ଧିଛି ବୋଲି
ଏ ଯାଏଁ ତା ଭିତରେ ବଞ୍ଚିଛି ମାତୃତ୍ବ,
ବଞ୍ଚିଛି ତୁମ ସକାଳର ଚହଟ ପଣ,
ରାତିର ନଖରାମି,
ବଞ୍ଚିଛି ସକଳ ଚଳନ୍ତିକା,
ଥରେ ସେ ବସ୍ତ୍ର ଉତାରି ଦେଲେ
ସେ ମାଆ ହେଇ ରହେନ
ସେ ଦେବୀ ପାଲଟି ଯାଏ ।
