ଆବାହନୀ
ଆବାହନୀ
ବିଭାତେ ତପନ ପୂରୁବେ ଗଗନ
ବକ୍ଷରେ ମୁହଁକୁ କାଢି
ପ୍ରତିଟି ତିରଣ ବଦନେ କିରଣ
ନିରପେକ୍ଷେ ଦିଏ ବାଢି ।
ଚଡକ ଚହଳ ବାରିଦ ବହଳ
ଧୀରେ ଯାଏ ଅପସରି
ଅମ୍ବର ଅମଳ ବାହିନୀ ବିମଳ
ଶୈଳ ଶିଖୁ ଅବତରି ।
ଶୀକର ନିରତ ହୋଇଛି ବିରତ
ଆତୁରେ ଆବିଳ ଧୋଇ
ଆସିଛି ଶରତ ବସିଛି ମରତ
ସତେ ସୁହାଗିନୀ ହୋଇ ।
ଦିଶେ ମଧୁ ଝରା ସବୁଜିମା ଭରା
ଉପବନ ଧାନ କ୍ଷେତ
ପଠାପୀଠେ ପରା ସୁନେଲି ଏ ଧରା
ଉଡାଏ ପାବନୀ ନେତ ।
ଝୁମି ଝୁମି ବାଜେ ନିତି ନୂଆ ସାଜେ
ନାନା ପୁଷ୍ପ ରେଣୁ ବୋଳି
ବସୁନ୍ଧରା ନିଜେ ଶିଶିରେ କି ଭିଜେ
ସମାଗମେ ରାସ ତୋଳି ।
ନବ ବଧୁ ପରି ଅଙ୍ଗରାଗ ଧରି
ଅପୂର୍ବ ରୂପର ଠାଣି
ଅଛି କିବା ବରି ଚ
ତୁର୍ଦିଗେ ଭରି
ଜଗତର ହିତ ଜାଣି ।
ନବୀନ ମହ୍ଲାର ଉତ୍ପଳ କହ୍ଲାର
ସରସୀ ଜଳେ ହରଷି
ଅଳିପେ ପ୍ରଚାର କରେ କି ପ୍ରସାର
ସୁବାସ ନିଜ ପରଷି ।
ଆଜ ଗୋ ଜନନୀ ବିରାଜି ଧରଣୀ
ପୃଷ୍ଠେ ତୁମ୍ଭ ନିକେତନ
ଶଙ୍କର ଘରଣୀ ଜୀବନ ତରଣୀ
ବାହି ନିଅ ନିବେଦନ ।
ତୁମେ ପରା ମାଆ ଆପଦରେ ସାହା
କରୁଣାର ଅବତାର
ଶ୍ରୀପୟରେ ଧାରା ନିରନ୍ତରେ ସାରା
ଦୟା କ୍ଷମା ଝରଣାର ।
ଶାରଦ ନିଶାର ଶୋଭନ ବିସାର
କରେ ଶ୍ବେତ କାଶତଣ୍ଡୀ
ତମସ ଦିଶାର କରିଣ ନିବାର
ଅବରୋହି ଆସ ଚଣ୍ଡୀ ।
ଦୈତ୍ୟ କୁଳେ ଡରି ପାରୁନାହୁଁ ତରି
ନାନାଦି ଲାଞ୍ଛନା କ୍ଳେଶ
ତୁମ କର ଧରି ଭବଭୟ ହରି
ଯାତନା ନ ରହୁ ଲେଶ ।
ପ୍ରସନ୍ନ କୁମାର ମାଦଳା