ଦେଖିଛ କି କେବେ ମଣିଷକୁ
ଦେଖିଛ କି କେବେ ମଣିଷକୁ
ଦେଖିଛକି କେବେ
ମଣିଷକୁ
ଚିହ୍ନିଛକି କେବେ
ତା' ହୃଦୟକୁ
ଶୁଣିଛକି କେବେ
ତା' ସ୍ପନ୍ଦନକୁ
ମାପିଛକି କେବେ
ତା' ମନ ତଳେ
ଜମାଟ ବନ୍ଧା
ଅବରୁଦ୍ଧ କୋହର
ଗଭୀରତାକୁ ;
ଅନୁଭବ କରିଛକି କେବେ
ଟକ୍ ମକ୍ ହୋଇ ଫୁଟି
ନିଗିଡି ପଡୁଥିବା
ତା' ଆଖିର
ଧାର ଧାର ତତଲା ଲୁହକୁ ?
ଦେଖିଛକି କେବେ
ମଣିଷକୁ
ତା' ଆଖିରେ
ନେସିହୋଇ ରହିଥିବା
ମୁଠା ମୁଠା ନେଂଜରାକୁ ;
ଅନୁଭବ କରିଛକି କେବେ
ତା' ପେଟର
ଭୋକର ଜ୍ବାଳାକୁ,
ପଢିଛକି କେବେ
ତା' ହୃଦୟର
ଦରଦୀ ଭାଷାକୁ
ଶୁଣିଛକି କେବେ ବୁକୁଥରା
ତା' ଆକୁଳ ଚିତ୍କାରକୁ
କରୁଣ ନିବେଦନକୁ
ଓଠର ଅକୁହା କଥାକୁ ;
ମାପିଛକି କେବେ
ତା' ଦେହର
ଖଇଫୁଟା ଡହ ଡହ ତାତିକୁ ?
ଦେଖିଛକି କେବେ
ମଣିଷକୁ
ନିଜ ଭିଟାମାଟି
ପ୍ରିୟ ପରିଜନଙ୍କ ଠାରୁ
ଦୂରରେ ରହିବାର
ଅବ୍ୟକ୍ତ ଯନ୍ତ୍ରଣାରେ
ଆଉଟୁ ପାଉଟୁ ହୋଇ
ଦାଦନ ଖଟି
ମୁଣ୍ଡ ଝାଳ ତୁଣ୍ଡରେ ମାରି
ଦୁଇପଟ ଶୁଖିଲା ରୁଟିରେ
ସନ୍ତୁଷ୍ଟ ହୋଇ
ମରି ମରି ବଂଚିବାର
ନିଖୁଣ ଅଭିନୟକୁ ;
ହସ,ଲୁହ,ରାଗ,ଅନୁରାଗ
ସବୁ ଏକାଠି କରି
ନିଜ ଜୀବନ ସହ
ଲୁଚକାଳି ଖେଳୁ ଖେଳୁ
କେବେ କେବେ ହାରିବାରେ
ଲୁହ ଢାଳିବାକୁ,
ଆଉ କେବେ ଜିତିବାର
ଖୁସିରେ
ତଲ୍ଲୀନ ମୁହୂର୍ତ୍ତକୁ ?
ଦେଖିଛକି କେବେ
ଅସହାୟ,ହତଭାଗ୍ଯ
ମଣିଷକୁ
ଜରି ପଲିଥିନ ତଳେ
ମୁଣ୍ଡ ଗୁଂଜି
ଖରା ବର୍ଷାରୁ ରକ୍ଷା ପାଇବାର
ଅଦମ୍ୟ ଚେଷ୍ଟାକୁ,
ନୁଆଁଣିଆ ଚାଳଘର
ଫୁଙ୍ଗୁଳା ମଥାନ ତଳେ
ଦିନରେ ସୂର୍ଯ୍ୟ
ରାତିରେ ଚନ୍ଦ୍ର ଦେଖି
ହାଡଭଙ୍ଗା ଶୀତରେ
ଥୁରୁ ଥୁରୁ ଥରିବାର
ଅଭାବନୀୟ
ହୃଦଥରା କରୁଣ ଦୃଶ୍ୟକୁ ?
ଶୋଷଣ,କଷଣ,ନିର୍ଯ୍ଯାତନାର
ଯୂପକାଠରେ
ଚିତ୍କାର କରୁଥିବା
କଙ୍କାଳସାର ମଣିଷର
ଭାଗ୍ୟ ଭବିଷ୍ୟତ
ଲହୁ ଲୁହାଣ ଓ
କ୍ଷତ ବିକ୍ଷତ,
ଅପହଂଚ, ଅର୍ଥହୀନ
ଜୀବନର ସ୍ବପ୍ନ
ବିକଳାଙ୍ଗ ପାଦ ତଳ ମାଟି
ସବୁ ଯେମିତି ଅସାର ,ଅସ୍ପଷ୍ଟ
ଭଙ୍ଗା ମନନେଇ
ଦଦରା କାନ୍ଥ ତଳେ
ନିତି ନିତି କାନ୍ଦି
ହସିବାର ଅଭିନୟ କରୁଥିବା
ଆଜିର ସ୍ବାର୍ଥପର ଦୁନିଆର
ଚୌହଦୀ ମଧ୍ୟରେ
ହାଡ,ମାଂସ ,ରକ୍ତର ଶରୀର ନେଇ
ଦୁଃଖର କଣ୍ଟକିତ ଅର୍ଗଳିରେ
ଠୋ ଠୋ ହସୁଥିବା ମଣିଷକୁ
ଚିହ୍ନିବାଟା ସତରେ
ଏକଦମ୍ କଷ୍ଟ ।।
ଶରତ କୁମାର ଦାସ