ରୂପସୀ ଅମାବାସ୍ୟା
ରୂପସୀ ଅମାବାସ୍ୟା
ନିସ୍ତବ୍ଧତାର ପହଡ ଭାଙ୍ଗି
ବେଶ୍ ଚଳଚଞ୍ଚଳ
ଘଞ୍ଚ ନୀରବତାର ତମସା ।
ପଖାଳି ନେଉଛି ମୁହଁରେ ବୋଳିଥିବା
ପରସ୍ତ ପରସ୍ତ ଅନ୍ଧାରର ନିର୍ଜନତାକୁ,
ଟାଣି ଓଟାରି ବିବସ୍ତ୍ର କରୁଛି
ଦୀପର ଆଲୋକ ଶିଖା
ଅସହିଷ୍ଣୁ ଜ୍ୟୋତ୍ସ୍ନାର ତୁଚ୍ଛା ଅହମିକାକୁ ।
ବିବିଧ ଚିତ୍ରର ବର୍ଣ୍ଣାଳିରେ ଝଲସୁଛି
ଦୀର୍ଘ ମିୟାଦୀ ସମ୍ଭାବନାର
ସୂକ୍ଷ୍ମ ଅଭିପ୍ସା
ଚିବୁକ୍ ରେ ଭଉଁରୀ ଖେଳାଇ
ଆଖି ନଚାଇ କଟାକ୍ଷ ବି କରୁଛି
ରୂପସୀ ଅମାବାସ୍ୟା ॥
ଉଆଁସୀ ଛାତିରେ ଦୋଳି ଝୁଲୁଛି
ରୋଷଣିର ମଧୁଶଯ୍ୟା
ପିଆସୀ ଆତସବାଜି
ଝୁଣ୍ଟି ପଡୁଛି ଆକାଶ କତିରେ
ରଚାଇ ପ୍ରୀତିର ପୂଣ୍ୟ ପରିଚର୍ଯ୍ୟା ।
ଖଣ୍ଡିଏ ଜହ୍ନର ଏକଚାଟିଆ ଆଧିପତ୍ୟ
ହାଣ୍ଡିଏ ଜ୍ୟୋତ୍ସ୍ନାର ମନମୋଟା ଏକଛଦ୍ରବାଦରେ
ଅପହୃତ ପୁଞ୍ଜାଏ ସରଳିଆ ନକ୍ଷତ୍ର
ଆଲୁଅର ଔଜ୍ଜ୍ବଲ୍ୟକୁ ଦ୍ୱାହି ଦେଇ ;
ଧର୍ମ ନାଁରେ ଉତ୍ପୀଡିତ ଯେମିତି
ପୁଳାଏ ଜୀବନ ଆଉ ମେଞ୍ଚାଏ ସପନ
ଶଠ ବାବା ପ୍ରୟୋଜିତ
ବିଷହାଣ୍ଡି ମୁହଁର ଅମୃତକୁ ପିଇ ।
ଦୀପର ମିଞ୍ଜି ମିଞ୍ଜି ଶିଖା
କୋଳାଏ ଅଗଣିତ ତାରା ସମୂହକୁ
ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁରେ ଆସ୍ଥା ପ୍ରକଟି
ଚାନ୍ଦ ଆଉ ଚାନ୍ଦିନୀର ଅହଙ୍କାରକୁ
ମୁହଁତୋଡ ଜବାବ ଦେଇ ।
ଅଗଣତାନ୍ତ୍ରିକ ଆସ୍ଥା
ଅସାମ୍ବିଧାନିକ ଭରସା
ଅମାନବିକ ବିଶ୍ୱାସକୁ ଜାଳି ପୋଡି
ପୁଣି ବାଟ କଢାଏ ଦାଉ ଦାଉ ଜଳି
ହୃଦୟ ଜୟକାରୀ ସମ୍ରାଟର
ଯୁଦ୍ଧ ଫେରନ୍ତା ପଟୁଆରର
ଆବେଗିକ ସ୍ୱପ୍ନକୁ; ନୈସର୍ଗିକ ପ୍ରେମକୁ ।
ନିଜକୁ ଶହୀଦ୍ ସଜେଇ
ମନୁବାଦୀ ମନରେ
ପ୍ରେମ ଭିକ୍ଷାର ପିପାସା
ମାତୃରକ୍ଷାର ତପସ୍ୟା
ସ୍ୱର୍ଣ୍ଣ ଖୋଚିତ କୃଷ୍ଣ ହୀରକ ବେଶରେ
ରୂପସୀ ବି ଅମାବାସ୍ୟା ॥॥
ବାଣ ଫୋଟକାର ଘୋମାଘୋଟ ଦୁନ୍ଦୁଭି
କାନକୁ ଶୁଭୁଛି ସୀମାନ୍ତରେ ନକ୍ସଲର
ଅମାନୁଷିକ ଗୁଳି ବର୍ଷଣ
କାଶ୍ମୀର ଘାଟିରେ ଉଗ୍ରପନ୍ଥୀର
ନରହନ୍ତା ବୋମା ବିସ୍ଫୋରଣ
ମନକୁ ଛୁଉଁଛି
ବସୁଧୈବ କୁଟୁମ୍ବକମ୍ ନାଦର ସୁରଭି ।
ଜାତିର ନାୟକ
ପ୍ରୀତିର ପ୍ରେମିକ
ମାଟିର ସୈନିକର ସ୍ୱାଗତ ପଥରେ
ଶୁଭବାଦ୍ୟର ମୂର୍ଛନା
ଦୀପାଳିର ଭାବପ୍ରବଣ ଶିଖାରେ
ଅମାରାତି ଜଳାଉଛି ବିଭଙ୍ଗ ପ୍ରାଣର
ବିକଳାଙ୍ଗ ଛଳନା ।
ନିନାଦିତ ଦେଶବ୍ୟାପୀ
ସୌହାର୍ଦ୍ଦପୂର୍ଣ୍ଣ ମିଳନର କାକଳି
ଚିତାଲାଗି, ମହାଳୟାଠୁଁ ବଳି
ଶୁଭ ଦୀପାବଳୀ ।
ଶବ୍ଦ ଆଉ ଆଲୋକ ଛୁଆଁରେ
ଅନ୍ଧାର ପ୍ରଗଳ୍ଭା
ପର୍ବ ଚିର ନମସ୍ୟା
ଦିଗନ୍ତ ଗଗନର ନିଶ୍ଚୁପ ଓଠରୁ ଝରି
ପୁଲକ ମଧୁ ସଞ୍ଚାରି
ରୂପସୀ ଯେ ଅମାବାସ୍ୟା ॥॥॥