STORYMIRROR

Hitendra Mohanta

Others

3  

Hitendra Mohanta

Others

ଚୁପ୍ ! ଲକ୍ ଡାଉନ୍ ଚାଲିଛି

ଚୁପ୍ ! ଲକ୍ ଡାଉନ୍ ଚାଲିଛି

3 mins
129


ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଗାଁ ରୁ ସହର ଖାଦାନ୍ ରୁ ଖମାର

ଖାଁ ଖାଁ ଲାଗେ ନୀରବ ନିଥର

ଉଆଁସୀ ରାତିର ନିର୍ଜନତା ବୋଳି

ମଶାଣି ପରିକା ଲାଗୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ସର୍କାର କୁହନ୍ତି କରୋନା କୁଆଡେ

ଏଇ ବାଟେ ବାଟେ ଯାଉଛି ।

ପିଶାଚୁଣୀ ପରି ମଉକା ଦେଖିକି

ଘରୁ ବାହାରିଲେ ଝାମ୍ପୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ନିର୍ଦ୍ଦେଶ କ୍ରମରେ ଗୃହେ ହୁଏ ବନ୍ଦୀ

ସଫା ରଖେ ହାତ ମୁଖେ ବାନ୍ଧେ ତୁଣ୍ଡି

ଗୋଟେ ମିଟରର 

ସମାଜ ଦୂରତା ରଖୁଛି....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ପାଟି ସିଠା ପଡେ ଘରେ ବସି ବସି

ସ୍ତ୍ରୀ କାନେ କୁହେ ଅତି ସରାଗରେ

ଚା ଟିକେ କରୁନ, ଆଗୋ ମୋ ଷୋଡଶୀ ।

ହାତ ଛିଞ୍ଚାଡିକି ଧର୍ମପତ୍ନୀ କୁହେ

ଚୁପ୍ ! ଲକ୍ ଡାଉନ୍ ଚାଲିଛି ।

ଦେଖି ପାରୁନ କି

ବିଛଣାରେ ବସି ଗୋଡ ଲମ୍ବେଇକି

ମହାଭାରତ ମୁଁ ଦେଖୁଛି ॥

ହଁ , ସେପଟେ ରୋଷେଇ ଘର

ନିଜ ପାଇଁ ଚା ଛୁଅା ଲାଗି ମ୍ୟାଗି

ପାରିବ ଯଦି ତ 

ମୋ ପାଇଁକି ଟିକେ ପିଜା ବର୍ଗର

ସ୍ୱିଗି ଜୋମାଟୋରୁ ଦେବ ଅର୍ଡର ॥

ଗୁଣୁ ଗୁଣୁ ହୋଇ ମହୁମାଛି ପରି

ପାଟି ମୋ ଯେମିତି ଖୋଲିଛି

ଗର୍ଜନ ଶୁଭିଲା ଫଁ ଫଁ ହୋଇ

ବକ୍ ବକ୍ କରିବନି କହି ରଖୁଛି

ଓ୍ୱାର୍କ୍ ଫ୍ରମ୍ ହୋମ୍ ସହ ଓ୍ୱାର୍କ୍ ଅଫ୍ ହୋମ୍

କେବେ ଘୋଷଣା ହେବ ମୁଁ ଭାବୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ସର୍କାର କୁହନ୍ତି କରୋନା କୁଆଡେ

ଏଇ ବାଟେ ବାଟେ ଯାଉଛି ।

ପିଶାଚୁଣୀ ପରି ମଉକା ଦେଖିକି

ଘରୁ ବାହାରିଲେ ଝାମ୍ପୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଗାଁ ମାଟି ନ ଛାଡି ଚାଷ ବୁଝେ ବାପା

ତାଲାବନ୍ଦ ଯୋଗୁଁ ଘରେ ବସି ଖପ୍ପା ।

ଯେବେ ମିଳେ କୃଷି ପାଇଁ ଅନୁମତି

କହିଲି ବାପାଙ୍କୁ ବେଗେ ଚଷ କ୍ଷେତ

ଗାଇକି ପହିଲି ବୈଶାଖ ଗୀତି ।

ଗମ୍ଭୀର କଣ୍ଠରେ କହିଲେ ପିତାଶ୍ରୀ

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଫଳିଥିଲା ଯେତେ ଭେଣ୍ଡି ବାଇଗଣ

ବଇତି କଖାରୁ ବିକି ନ ହେବାରୁ

କ୍ଷେତ ଖମାରରେ ସଢୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଦାଶିଅ‍ା ପୁଅଟା ହାଟ ବାଟ ଯାଇଥିଲା

ପରିବା ବୋଝାଟେ ବାଇକିରେ ବନ୍ଧାଥିଲା ।

ମାନିଲେ ତ ପୋଲିସ ହେଲା

ଦାରୋଗା ଲାଠିରେ ଆଣ୍ଠୁ ଗଣ୍ଠି ଛିଣ୍ଡି

କାଳୁପଡା ସେକ ନେଉଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ସର୍କାର କୁହନ୍ତି କରୋନା କୁଆଡେ

ଏଇ ବାଟେ ବାଟେ ଯାଉଛି ।

ପିଶାଚୁଣୀ ପରି ମଉକା ଦେଖିକି

ଘରୁ ବାହାରିଲେ ଝାମ୍ପୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଗାଉଁଲି ହେଲେ ବି ମାଆ ମୋର ସ୍ୱାଭିମାନୀ

ଯେତେ ଡାକିଲେ ବି 

ବାପାଙ୍କୁ ଛାଡିକି ସହରକୁ ସେ ଆସୁନି ।

ଶୁଣିଲି ଯେବେ ଯେ

ପାଞ୍ଚଶହ ଟଙ୍କା ପଶିଲା ଜନଧନରେ

କହିଲି ତାକୁ ମୁଁ

ସଉଦା କିଣିବୁ ଟଙ୍କା କାଢି ଦୋକାନରେ ।

ତାଗିଦ କରିକି କହିଲା ମାଆ ମୋ

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ପାଞ୍ଚ କୋଷ ବାଟ ଏଠୁଁ ବ୍ୟାଙ୍କ ପରା

ଗାଡି ମୋଟର ନାହିଁ

ବାଟ ଅବାଟରେ ବାଉଁଶର ଘେରା

ସହି ପାରିବିନି ଧୂମାଳ ଖରା

ଗଳି ପଡିଯିବ ହାଡ ପଞ୍ଜରା ।

ଚିନ୍ତା କରନାହିଁ ମୋ ପାଇଁରେ ଧନ

ପଖାଳ ସହିତ ଆମ୍ବୁଲ ଲଗେଇ ଖାଉଛି

ବେଳ କାଳ ଉଣ୍ଡି

ଦୁଃଖିରଙ୍କୀ ପାଇଁ ମାସ୍କ କାଳେବେଳେ ବୁଣୁଛି ।

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ସର୍କାର କୁହନ୍ତି କରୋନା କୁଆଡେ

ଏଇ ବାଟେ ବାଟେ ଯାଉଛି ।

ପିଶାଚୁଣୀ ପରି ମଉକା ଦେଖିକି

ଘରୁ ବାହାରିଲେ ଝାମ୍ପୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଚାକିରି ବା କାଇଁ ମହରଗ କାଳରେ

ଗାଁ ଠିକାଦାରି କାମ ତ ଭାଇର

ଉଦର ଭରଣ ପୋଷଣ ଆଳରେ ।

କହିଲି ଭାଇକୁ 

ଧନ୍ଦା ତ ତୋହରି ହେବଣି ବନ୍ଦ

କିଛି ଦିନ ଲାଗି

ଗ୍ରୋସରି ବେପାର ନୁହଁଇ ମନ୍ଦ ।

ଚିହିଁକି ଉଠିକି ଭାଇ ମୋ କହିଲା

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ତଳସାହି ସୋନା ବାଇକିରେ କାଲି

ଯାଇଥିଲା ହୋଲସେଲ୍ ଗୋଦାମ

କି ଆଣିବ ସେ ଗ୍ରୋସରି ସଉଦା

ପୋଲିସି ଦଣ୍ଡାରେ ଦେହ ଜଖମ ।

ବାଇକିକୁ ପୁଣି ଜବତ ରଖିଛି

ମୁହଁରେ ମାସ୍କ ପିନ୍ଧି ନ ଥିବାରୁ

ଦୁଇଶହ ଜୋରିମାନା ହୋଇଛି ।

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଏ ଧନ୍ଦା ହେବନି ମୋ ଦ୍ୱାରା ସମ୍ଭବ

କରୋନା ଦାଉରୁ ଗ୍ରାମ ରକ୍ଷା ଲାଗି

ସଭିଙ୍କୁ ସଚେତ କରୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ସର୍କାର କୁହନ୍ତି କରୋନା କୁଆଡେ

ଏଇ ବାଟେ ବାଟେ ଯାଉଛି ।

ପିଶାଚୁଣୀ ପରି ମଉକା ଦେଖିକି

ଘରୁ ବାହାରିଲେ ଝାମ୍ପୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ସ୍ମୃତି ଝୁରେ ମନ ରାସକୁଞ୍ଜର

ପାର୍କ ମଲ୍ ଅବା ଆଇନକ୍ସରେ ତାଲା

ଖୋଜେ ପ୍ରିୟା ପ୍ରୀତି ମଧୁସଞ୍ଜର ।

ଭାବପ୍ରବଣର ଆବେଗକୁ ବୋହି

ରୋଜ ପାନପତ୍ର ହ୍ୱାଟସଅପରେ ଥୋଇ

ଲେଖିଲି ପ୍ରିୟାକୁ.....

ମୁହଁ ଦେଖାଚାହାଁ କିମ୍ବା ଭେଟାଭେଟି

ହେବନି ତ ଏବେ ଏତେ ସହଜ

ଔଷଧ ନାଁ ରେ ପୋଲିସକୁ ଫାଙ୍କି

ଆସିଯିବ ମାସ୍କ ମୁହଁରେ ଢାଙ୍କି

ରାସ ରଚାଇବ କୁଞ୍ଜ ସଜାଡିବ

ଆକାଶରେ ଥାଉଁ ଥାଉଁ ସୂରୁଜ ।

ମିଛ ଅଭିମାନେ ଭିଡିଓ କଲରେ ପ୍ରିୟା କହିଲା

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

କିଛି ବି ବାହାନା କାମ ଦେଉନି

ବିରହ ବେଦନା ସହି ହେଉନି

ଧରା ପଡିଗଲେ ସଙ୍ଗରୋଧ ପାଇଁ

ପଠେଇଦେବ ସେ ଚଉଦ ଦିନି ।

ଏଇ ମାତ୍ର ଏବେ ସାହିକୁ ଆମର

ସଟ୍ ଡାଉନ୍ ଘୋଷଣା ହୋଇଛି

ଥୟ ଧର ପ୍ରିୟ ଆଉ ଦିନା କେତେ

ଭିଡିଓ କଲରେ 

ପ୍ରେମ ସଞ୍ଜୀବନୀ ସିଞ୍ଚୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ସର୍କାର କୁହନ୍ତି କରୋନା କୁଆଡେ

ଏଇ ବାଟେ ବାଟେ ଯାଉଛି ।

ପିଶାଚୁଣୀ ପରି ମଉକା ଦେଖିକି

ଘରୁ ବାହାରିଲେ ଝାମ୍ପୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଅଭିବାଦନରେ ସାଙ୍ଗକୁ କହିଲି

ନିରାପଦ ରୁହ, ଶୁଭ ସକାଳ

ଗୁଲି ଖଟି କିମ୍ବା ତାସ କ୍ୟାରୋମ ନାହିଁ

କେମିତି କଟୁଛି ଗୃହାବାସ କାଳ !

ପଣା ସଂକ୍ରାନ୍ତିରେ ମନ୍ଦିର ପଛକୁ

ଆସିଯିବ ବନ୍ଧୁ ମାଛି ଅନ୍ଧାରକୁ

ପଣା ସଙ୍ଗେ ଟିକେ କରିବା ଭାଙ୍ଗର ଖେଳ ।

ଗାଲୁଆ ଗଳାରେ କହିଲା ମୋ ସଖା

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ସର୍କାରୀ ଘୋଷଣା ପଢୁନାହଁ ବୋଧେ

ନିଶାପାଣି ଯେତେ ଦେଶୀ କି ବିଦେଶୀ

ସବୁ ତ ନିଷେଧ ହୋଇଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଜିଭ ଲଳଲଳ ହେବାରୁ ସେଦିନ

ପୁରୁଣା କ୍ଲବର ଅନ୍ଧାରି କୋଣରେ

ଖାଦ୍ୟ ପାନୀୟର ହେଲା ଆୟୋଜନ ।

ଗଳା ବାଟ ଦେଇ ଚୋରା ମଦ ନେଇ

ପୋଲିସ ହାବୁଡେ ପଡିଲା ମଦନ

ତାପରେ ତ ଖାଲି

ବୋପାଲୋ ବୋଉଲୋ କରୁଣ ରୋଦନ ।

ଓଃ କି ମାଡ ! ସେକି ଦେଇଗଲେ ଥାନ ଅଥାନରେ

ଏବେ ବି ଟୋକାଟା 

ଘର କୋଣେ ଡରେ ଲୁଚିଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଘରେ ଥାଇ ବନ୍ଧୁ ନିରାପଦେ ରୁହ

ପରିବାର ସଙ୍ଗେ ବେଳ କାଟିବାର

ସୁବର୍ଣ୍ଣ ସୁଯୋଗ ମିଳିଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ସର୍କାର କୁହନ୍ତି କରୋନା କୁଆଡେ

ଏଇ ବାଟେ ବାଟେ ଯାଉଛି ।

ପିଶାଚୁଣୀ ପରି ମଉକା ଦେଖିକି

ଘରୁ ବାହାରିଲେ ଝାମ୍ପୁଛି.....

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥

ଚୁପ୍ ! ଲକ୍ ଡାଉନ୍ ଚାଲିଛି ॥



Rate this content
Log in