ମାଆ
ମାଆ


ବାପା ନ ଥିବା ପୁଅ ସଭାରେ ହାରେ
ପଲ୍ଲୀ ସଭା ଅବା ଦିଲ୍ଲୀ ସଭାରେ
ମହକ ଥାଇ ଚହଟ ହଜେ
ବଣମଲ୍ଲୀ ପରି ବଣରେ ମରେ ।
ଜିତିବା ନିଶାକୁ ଆଖିରେ ଗଣ୍ଠେଇ
ମାନ ମହତ ହୁଏ ହରିଲୁଟ୍ ପଦାରେ ॥
ମା' ନ ଥିବା ଛୁଆ ପଣତ ଝୁରେ
ସ୍ନେହ ଅଣ୍ଡାଳେ ବାତ୍ସଲ୍ୟ ଖୋଜେ
ମମତା ଦରାଣ୍ଡେ ଲୁହର ଧାରେ ।
ଶୂନ୍ୟ ହୃଦୟର ଦରଛିଣ୍ଡା ଚିତ୍ର
ଝାପସା ଦିଶେ ପୁଣି ଭଙ୍ଗା ପ୍ରାଣରେ ॥
ରାସ୍ତାସବୁ ଲାଗେ ଆବୁଡା ଖାବୁଡା
ସ୍ୱପ୍ନସବୁ ପଥହୁଡା
ଇଚ୍ଛାତକ ଛନ୍ଦହୀନ; ଦିଗହରା ବେସୁରା
ଆଢୁଅାଳେ କୋହ ସବୁ ଫାଟି ପଡେ ଢୋ ଢା
ଯେମିତିକା ଫଗୁଣର ପତ୍ରଝଡା ।
ଝୁଣ୍ଟୁଥାଏ ଶୂନ୍ୟତାର ପଣତରେ
ଘରେ ଅବା ଅଗଣାରେ, ଦାଣ୍ଡ ଦୁଆରେ ॥
ଝୁରେ ବି ସେଇ
ଶ୍ରଦ୍ଧାବୋଳା ମଧୁରିମା କୋଳ
ବାଇ ଚଢେଇର ବସା ପରି ଦୁର୍ଗମ୍ୟ
ଅଭେଦ୍ୟ ଅଥଚ କାନ୍ତ କୋମଳ
ଖରା ବର୍ଷା ଶୀତ କି
ଝଡ ଝଞ୍ଜା ବତାସର ନ ଥାଏ ଡର
ସେ କୋଳରେ ଝୁଲି ଦୋହଲି
ପାହୁଥିବ ସଞ୍ଜ ଓ ସକାଳ ॥
ଝୁରେ ବି ଆହୁରି
ପ୍ରଶାନ୍ତିର ଫୁଲଝରା ସ୍ପର୍ଶ
ଗୁହାଳରୁ ଗୋବର ସାଉଁଟି
ପାଉଁଶରେ ବାସନ ମାଜି ଅବା
କାଦୁଅ ଭର୍ତ୍ତି କ୍ଷେତରେ ଘାଣ୍ଟି ଚକଟି
ହୋଇପାରେ ପାପୁଲି ସିଠା କର୍କଶ ।
ସେଇ ରୁକ୍ଷ ପାପୁଲିର ମୁଣ୍ଡ ଆଉଁସାରେ ଯେ
ସ୍ୱର୍ଗୀୟ ଉନ୍ମାଦ, ଅନୁପମ ଆହ୍ଲାଦ
ଯେବେ ଦେହ ବା ମନ
କ୍ଳେଶ କ୍ଳାନ୍ତି କି ରୋଗରେ ବିବଶ ॥
ମା' ପଣତ କୋଳ ମୃଦୁ ସ୍ପର୍ଶରେ
ପାରିଜାତ ଫୁଟେ ଶିଳାଶୃଙ୍ଗରେ
ମା' ନ ଥିବା ପିଲା ଜୀବନେ ହାରେ
ପ୍ରତି ମୁହୂର୍ତ୍ତରେ ପ୍ରତି ବାଜିରେ ॥॥॥